ବାହାଘରର ୧୦ଦିନ ପରେ ସନ୍ତାନକୁ ଜନ୍ମ ଦେଲେ ନବବଧୂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁର ଦେହାତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବିବାହର ମାତ୍ର ୧୦ଦିନ ପରେ ନବବଧୂ ସନ୍ତାନକୁ ଜନ୍ମ ଦେବା ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏଥିସହିତ ଉକ୍ତ ନବବଧୂଙ୍କ ସ୍ବାମୀ ଓ ଶାଶୁଘର ଲୋକ ବୋହୂଙ୍କୁ ଆପଣାଇବା ପାଇଁ ମନା କରି ଦେଇଛନ୍ତି।

ଏହି ଘଟଣା କାନପୁର ଦେହାତର ରୁରା ଥାନା ଅଞ୍ଚଳରେ ଘଟିଛି। ଗ୍ରାମରେ ରହୁଥିବା ଜଣେ ଦଳିତ ଯୁବତୀଙ୍କ ବିବାହ ୨୦୨୩ ମଇ ୧୫ ତାରିଖରେ ଭୋଗନିପୁର କୋତବାଲି ଅଞ୍ଚଳସ୍ଥ ଏକ ଗ୍ରାମରେ ହୋଇଥିଲା। ବିବାହ ପରେ ଲେଉଟାଣି ପରମ୍ପରା ହେତୁ ସେ ତାଙ୍କ ବାପ ଘରକୁ ଆସିଥିଲେ।

ଏହି ସମୟରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଅକବରପୁରର ଏକ ଘରୋଇ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ପ୍ରସବ ହୋଇଥିଲା। ନବଜାତ ଦୁର୍ବଳ ଥିବାରୁ ଜନ୍ମର କିଛି ସମୟ ମଧ୍ୟରେ ତାର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ଝିଅର ଶାଶୁଘର ଲୋକ ଜାଣିବା ପରେ ସେମାନେ ବୋହୂକୁ ନେବାକୁ ମନା କରି ଦେଇଥିଲେ।

ଏହି ଘଟଣାକୁ ନେଇ ପୀଡ଼ିତା କହିଛନ୍ତି, ‘ଅରୁଣ ପାଲ ଓ ବିନୟ ପାଲ ମୋ ସହିତ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ଆଉ ଏହି ଘଟଣା ବିଷୟରେ ଯଦି ମୁଁ କାହାକୁ କିଛି ଜଣାଏ ସେମାନେ ମୋତେ ଓ ମୋ ପରିବାରକୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ତେଣୁ ମୁଁ ଏହି ଘଟଣା ବିଷୟରେ କାହାକୁ କିଛି ଜଣାଇ ନଥିଲି। ପରେ ଜାଣିଲି ମୁଁ ଗର୍ଭବତୀ ଅଛି। କିନ୍ତୁ ଲୋକଲଜ୍ଜ୍ୟ ଭୟରେ କାହାକୁ କିଛି କହି ନଥିଲି। ପେଟ ବଢ଼ିବାରୁ ସବୁବେଳେ ପେଟ ଲୁଚାଇଲା ଭଳି ପୋଷାକ ପିନ୍ଧିଥାଏ। ଇତିମଧ୍ୟରେ ମୋ ବାହାଘର ହୋଇ ଯାଇଥିଲା। ବାହାଘରର ୧୦ଦିନ ପରେ ପ୍ରସବ ହେବା ଖବର ଶୁଣି ଶାଶୁଘର ଲୋକ ରାଗି ଯାଇ ମୋତେ ଆପଣାଇବାକୁ ମନା କରି ଦେଇଛନ୍ତି।’

ସମ୍ବନ୍ଧିତ ଖବର