ରାୟପୁର: ଛତିଶଗଡରେ ଜଣେ କନ୍ୟା ବାହାଘରର ମଣ୍ଡପରୁ ବର ସହ ବିଦାୟ ହୋଇ ଆସୁଥିବା ବେଳେ ରାସ୍ତାରେ ପ୍ରେମିକ ସହ ଫେରାର ହୋଇଯାଇଥିଲା। ବିଦାୟ ପରେ ଗାଡିର ଲାଇଭ୍ ଲୋକେସନ୍ ଫୋନରେ ପ୍ରେମିକଙ୍କୁ ପଠାଉଥିଲା। ବରର ଗାଡିକୁ ପ୍ରେମିକ ଅନୁସରଣ କରୁଥିଲା। କନ୍ୟା ମାନପୁର ନାମକ ସ୍ଥାନରେ ଭୋର ୪ଟା ବେଳେ ଶୌଚାଳୟ ଯିବାର ବାହାନା କରି ଗାଡି ରୋକିବାକୁ କହିଥିଲା। କାର ଛିଡା ହେବା ମାତ୍ରେ ପଛରେ ଅନୁସରଣ କରୁଥିବା ପ୍ରେମିକର କାର୍ ସିନେମା ଷ୍ଟାଇଲରେ ଖୋଲିଥିଲା।
ବର ଓ ତାଙ୍କ ସମ୍ପର୍କୀୟ ଅନେଇ ରହିଥିଲେ ପ୍ରେମିକ କନ୍ୟାକୁ ନେଇ ଫେରାର ହୋଇଯାଇଥିଲା। ଘଟଣାର ଦୁଇ ଦିନ ପରେ ଥାନାରେ କନ୍ୟା ବରକୁ ମଙ୍ଗଳସୂତ୍ର ଫେରାଇ ଦେଇଥିଲା। ଦୁଇ ପରିବାରର ଉପସ୍ଥିତିରେ ବର ସିନେମା ଶୈଳୀରେ କହିଥିଲା, ଯା ତୋତେ କ୍ଷମା କରିଦେଲି, ନିଜ ପ୍ରେମ ସହ ଜୀବନ ବିତା....।
କନ୍ୟା ଫେରାର ହେବା ପରେ ବର ଓ ତାଙ୍କ ପରିବାର ସିଧା ମାନପୁର ଥାନାରେ ପହଞ୍ଚିଥିଲେ। ସୂଚନା ମିଳିବା ପରେ ସେହି ଅଞ୍ଚଳର ପୁଲିସ ବି ସତର୍କ ହୋଇଯାଇଥିଲେ। ମାମଲା ଗମ୍ଭୀର ଥିବାରୁ କିଛି ଜାଗାରେ ନାକାବନ୍ଦୀ କରାଯାଇଥିଲା। ଦ୍ଵିପହର ଗୋଟାଏ ବେଳେ କାଙ୍କେର ଥାନାର ପୁଲିସ କନ୍ୟା ଓ ପ୍ରେମିକକୁ ଧରିବାକୁ ସକ୍ଷମ ହୋଇଥିଲା। ଥାନାରେ ପହଞ୍ଚିବା ପରେ କନ୍ୟା ଓ ପ୍ରେମିକ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କ ପରି ଅଭିନୟ କରିଥିଲେ।
ପ୍ରେମିକା(କନ୍ୟା) କହିଥିଲା, ସେମାନେ ପରସ୍ପରକୁ ଭଲ ପାଆନ୍ତି। ଦୁଇ ଜଣ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଯୁବତୀଙ୍କ ପରିବାର ବିବାହରେ ରାଜି ନଥିଲେ। ଯୁବତୀଙ୍କ ପରିବାର ତାଙ୍କୁ ମହାରାଷ୍ଟ୍ରର ସାବରଗାଓଁର ଜଣେ ଯୁବକ ସହ ବାହାଘର ସ୍ଥିର କରି ଦେଇଥିଲେ। ଯୁବତୀ ଜଣକ ବାପାଙ୍କୁ ଅନେକ ଥର ଅନୁରୋଧ କରିଥିଲା। କିନ୍ତୁ ତାଙ୍କ ବାପା କହିଥିଲେ, ମୁଁ ଜବାବ ଦେଇ ସାରିଛି ଏବେ ବିବାହ ଭାଙ୍ଗିଲେ ଲୋକମାନେ କଣ ଭାବିବେ।
ଯୁବତୀ ଏହାପରେ ଫେରାର ହେବାକୁ ଚେଷ୍ଟା କରିଥିଲା। ତେବେ ପରିବାର ସଦସ୍ୟ ତାଙ୍କୁ ଜଗିରହିଥିବାରୁ ସେ ଫେରାଇ ହେଇ ପାରିନଥିଲା। ଶେଷରେ ବିବାହ ଫେବୃଆରୀ ୬ରେ ହେବ ବୋଲି ସ୍ଥିର ହୋଇଥିଲା। ବର ବରଯାତ୍ରୀ ସହ ଯୁବତୀଙ୍କ ଘରେ ପହଞ୍ଚିଯାଇଥିଲା। ଯୁବତୀ ବିବାହ ସମୟରେ ଯେପରି ଫେରାର ନ ହେବ ସେଥିପାଇଁ ତାଙ୍କ ପିଉସୀ ତାଙ୍କୁ ଧରିକି ରଖିଥିଲେ। ଏହି ସମୟରେ ପ୍ରବଳ ଚାପ ଯୋଗୁଁ ଯୁବତୀର ଦେହ ଖରାପ ହୋଇଯାଇଥିଲା ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲରେ ତାକୁ ଏକ ୟୁନିଟ୍ ରକ୍ତ ଦିଆଯିବାର ଥିଲା। କିନ୍ତୁ ଶୁଭ ମୂହୂର୍ତ୍ତରେ ଅଗ୍ନି ପ୍ରଦକ୍ଷଣ କରି ବାହାଘର କରେଇବା ପାଇଁ ପରିବାର ଲୋକେ ଅଧା ୟୁନିଟ୍ ରକ୍ତ ନେବାପରେ ହିଁ ମଣ୍ଡପକୁ ନେଇଯାଇଥିଲେ। ବର ଅନୁସାରେ, ଯେତେବେଳେ ଯୁବତୀଙ୍କୁ ମଣ୍ଡପକୁ ଅଣାଯାଉଥିଲା ସେତେବେଳେ ତାର ମୁଣ୍ଡ ବୁଲାଉଥିଲା। ଯୁବତୀ ବର ସହ ମଣ୍ଡପରେ ବସିବା ମାତ୍ରେ ହିଁ ସେ ବେହୋସ ହୋଇଯାଇଥିଲା। ଚେତା ଆସିବା ପରେ ତା ବେକରେ ମଙ୍ଗଳସୂତ୍ର ଥିବାର ସେ ଦେଖିଲା ଯାହାକୁ ସେ ଖୋଲି ଦେଇଥିଲା। ସେ କହିଥିଲା, ମୁଁ ଅଗ୍ନି ପ୍ରଦକ୍ଷଣ(ସାତ୍ ଫେରେ) ବି କରିନାହିଁ। ମଙ୍ଗଳସୂତ୍ର କେଉଁଆଡୁ ଆସିଲା ମୁଁ ଜାଣିନାହିଁ।
କାଙ୍କେର ଥାନା ଅଧିକାରୀ କହିଛନ୍ତି, ସୂଚନା ମିଳିବା ପରେ ଘେରାବନ୍ଦୀ କରି ଥାନାର ସାମନାରେ ଦୁଇ ଜଣକୁ ଧରାଯାଇଥିଲା। ଛତିଶଗଡ ଦାନ୍ତେଓ୍ଵାଡାର ଆରତୀ ସାହାରେ ଓ ବସ୍ତରର ବିକାଶ ଦୁବେଙ୍କ ମଧ୍ୟରେ ଅନେକ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ପୁଲିସ କନ୍ୟା ଓ ତାର ପ୍ରେମିକକୁ ଧରିବା ପରେ ପ୍ରେମିକ ନାମରେ ମାମଲା ରୁଜୁ କରିଥିଲା। କିନ୍ତୁ ଗୋଟିଏ ଦିନ ପରେ ପୁଲିସ ପ୍ରେମିକକୁ ଖଲାସ କରିବା ସମୟରେ ବର ନିଜ ପରିବାର ସହ ଥାନାରେ ପହଞ୍ଚିଯାଇଥିଲା।
ଝିଅ ଘର ଲୋକ ବି ଥାନାରେ ପହଞ୍ଚିଯାଇଥିଲେ। କନ୍ୟା ନିଜ ପ୍ରେମିକ ସହ ରହିବାକୁ ଜିଦ୍ କରିଥିଲା। ସେ ବରକୁ ମଙ୍ଗଳସୂତ୍ର ଫେରାଇ ଦେଇଥିଲା। ଝିଅର ଜିଦ୍ ଦେଖି ଶେଷରେ ସମସ୍ତେ ମାନିଯାଇଥିଲେ। ଏହା ପରେ ଯୁବତୀ ନିଜ ପ୍ରେମିକ ସହ ଥାନାରୁ ହିଁ ସେଠାରୁ ଯାଇଥିଲା। ଶୀଘ୍ର ଦୁଇଜଣ ବିବାହ କରିବାକୁ ଯାଉଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପୁଲିସ କରିବ।