ଜୋତା ଚୋରି ପରମ୍ପରାକୁ ନେଇ ବର ଓ ତାର ସାଙ୍ଗମାନେ ମିଶି ଜଣେ ଯୁବକଙ୍କୁ କଲେ ହତ୍ୟା

ବଦାୟୁ: ବିବାହ ଏକ ଏମିତି ଉତ୍ସବ ଯାହାକୁ ନେଇ ବିଭିନ୍ନ ପରମ୍ପରା ରହିଥାଏ। ଜୀବନସାଥୀ ଭାବେ ବାଟ ଚାଲିବା ପାଇଁ ଉଭୟ ବର ଓ କନ୍ୟାଙ୍କୁ ବିଭିନ୍ନ ରୀତିନୀତି ଦେଇ ଯିବାକୁ ହୋଇଥାଏ। ଏଥିମଧ୍ୟରୁ ଏମିତି ଏକ ନୀତି ଅଛି ଯେଉଁଥିରେ କି କନ୍ୟାଘର ପକ୍ଷ ବରର ଜୋତା ଲୁଚାଇ ଥାଆନ୍ତି। ବିଶେଷ ଭାବେ ଏହି କାମ ବରର ଶାଳିମାନେ କରି ଥାଆନ୍ତି। କିନ୍ତୁ ଉତ୍ତରପ୍ରଦେଶ ବନ୍ଦାୟୁ ଜିଲ୍ଲାରେ ଏହି ରୀତିନୀତିକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି।

ଏଭଳି ଏକ ମାମଲା ବିଲସି ଅଞ୍ଚଳରେ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, ବିଲସି ଥାନା ଅଞ୍ଚଳରେ ରହୁଥିବା ମୁରେନ୍ଦ୍ରର ବିବାହ ସୁରଜପୁର ଗ୍ରାମରେ ହେବାକୁ ଥିଲା। ବୁଧବାର ସୁରେନ୍ଦ୍ର ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚିଥିଲା। ବରଣି ପାଇଁ ସୁରେନ୍ଦ୍ର ଜୋତା ଖୋଲିଥିଲା ଓ ରୀତିନୀତିରେ ସାମିଲ ହୋଇଥିଲା। ସମସ୍ତ ରୀତିନୀତି ଶେଷ ହେବା ପରେ ସୁରେନ୍ଦ୍ର ତାର ଜୋତା ଖୋଲିଥିଲା। ଜୋତା ନପାଇବାରୁ ସୁରେନ୍ଦ୍ର ରାଗି ଯାଇଥିଲା। ସୁରେନ୍ଦ୍ରର ସାଙ୍ଗମାନେ ବି ଏହି ଘଟଣାକୁ ନେଇ ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ। ଘଟଣାସ୍ଥଳରେ ଥିବା ରାମସରନ ଉପରେ ଜୋତା ଚୋରି କରିଥିବା ଅଭିଯୋଗ ଆଣିଥିଲେ। ଏହାପରେ ରାମସରନ୍‌କୁ ବର ଓ ତାର ସାଙ୍ଗମାନେ ମାଡ ମାରିବା ଆରମ୍ଭ କରି ଦେଇଥିଲେ। ଗୁରୁତର ଅବସ୍ଥାରେ ରାମସରନ୍‌ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାମସରନ୍‌ଙ୍କ ମୃତ୍ୟୁ ହୋଇଥିଲା ।

ପୁଲିସ ଅଧିକାରୀ ଉନେନ୍ଦ୍ର କୁମାର ଦେଶବର କହିଛନ୍ତି, ମୃତକ ରାମସରନ୍‌ଙ୍କ ପତ୍ନୀ ମୀରା ଦେବିଙ୍କ ଅଭିଯୋଗ କ୍ର୍ରମେ ବର ସୁରେନ୍ଦ୍ର ଓ ତାର ଚାରି ଜଣେ ସାଥୀ ବିରୋଧରେ ହତ୍ୟା ମାମାଲା ରୁଜୁ କରାଯାଇଛି। ରାମସରନ୍‌ଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର