ନୂଆଦିଲ୍ଲୀ: କୁକୁରମାନଙ୍କ ସହିତ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରିବା ଦୃଶ୍ୟର ଭିଡିଓ ଉତ୍ତୋଳନ କରି ଅନ୍‌ଲାଇନ୍‌ରେ ପୋଷ୍ଟିଙ୍ଗ୍‌ କରିଥି‌ବା କଥା ଜଣେ ବ୍ରିଟିସ୍‌ କୁମ୍ଭୀର ବିଶେଷଜ୍ଞ ସ୍ବୀକାର କରିଛନ୍ତି ବୋଲି ‘ବିବିସି’ ରିପୋର୍ଟ କରିଛି।

Advertisment

ସେ ହେଉଛନ୍ତି ‘ବିବିସି’ ଓ ‘ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌’ ସହିତ କାର୍ଯ୍ୟ କରିଥିବା ଅଗ୍ରଣୀ ପ୍ରାଣୀ ବିଶେଷଜ୍ଞ ଆଦମ୍‌ ବ୍ରିଟନ୍‌। ଅଷ୍ଟ୍ରଲିଆର ଏକ ଅଦାଲତରେ ସେ କହିଛନ୍ତି ଯେ, କୁକୁରମାନେ ମରିବା ପର୍ଯ୍ୟନ୍ତ ସେ ସେମାନଙ୍କୁ ନିର୍ଯାତନା ଦେଇଛନ୍ତି। ସେ ସବୁ ଦୃଶ୍ୟ କ୍ୟାମେରାରେ ରେକର୍ଡ କରାଯାଇଛି।

ତାଙ୍କ ବିରୋଧରେ ଆଗତ ୬୦ଟି ଅଭିଯୋଗ ମଧ୍ୟରୁ ଅନ୍‌ଲାଇନ୍‌ରୁ ‘ଚାଇଲ୍‌ଡ୍‌ ଏବ୍ୟୁଜ୍‌ ମ୍ୟାଟେରିଆଲ୍‌’ ଆକ୍‌ସେସ୍ କରିଥିବା କଥା ବି ସେ ସ୍ବୀକାର କରିଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ ତାଙ୍କ ପ୍ରତି ଦଣ୍ଡବିଧାନ କରାଯାଇ ନାହିଁ।

publive-image Image Courtesy of iNews

ପ୍ରୋସିକ୍ୟୁଟର୍‌ମାନେ କହିଛନ୍ତି ଯେ, ୨୦୧୪ରୁ ବ୍ରିଟନ୍‌ଙ୍କର ପାଶବିକ ଉତ୍ପୀଡ଼ନ ପ୍ରତି ଆଗ୍ରହ ଜାତ ହୋଇଛି। ସେଥିପାଇଁ ସେ ନିଜେ ପାଳିଥିବା ପୋଷା କୁକୁର ଓ ଅନ୍ୟ ମାଲିକମାନେ ତାଙ୍କ ତତ୍ତ୍ବାବଧାନରେ ଛାଡ଼ିଥିବା ପୋଷା କୁକୁରଙ୍କ ସହିତ ଦୁଷ୍କର୍ମ କରିଛନ୍ତି।

କୌଣସି କାର୍ଯ୍ୟରେ କି, ଭ୍ରମଣ ଉଦ୍ଦେଶ୍ୟରେ କିଛି ଦିନ ପାଇଁ ବାହାରକୁ ଯାଉଥିବା ପୋଷା କୁକୁରଙ୍କ ଦେଖାରଖା ଦାୟିତ୍ବ ଦେବାକୁ ଚାହୁଁଥିବା ଲୋକମାନଙ୍କର ସନ୍ଧାନ ନେଇ ବ୍ରିଟନ୍‌ ଏଭଳି ଅପକର୍ମ କରିଥିବା କଥା ସେମାନେ କହିଛନ୍ତି। ଦୂରସ୍ଥାନରେ ଥାଇ ମାଲିକମାନ‌େ ସେମାନଙ୍କ କୁକୁର ବିଷୟରେ ଖବର ଜାଣିବାକୁ ଚାହିଁଲେ ବ୍ରିଟନ୍‌ ମିଛ କହୁଥିଲେ ଏବଂ କୁକୁରର ପୁରୁଣା ଫଟୋ ପଠାଇ ଦେଉଥିଲେ।

ଏଭଳି ଅପକର୍ମ ପାଇଁ ବ୍ରିଟନ୍‌ ଗୋଟାଏ ‘ସିପିଙ୍ଗ୍‌’ କଣ୍ଟେନର୍‌କୁ ‘ଯାତନା ଗୃହ’ କରିଥିଲେ। ସେଥିରେ ଏ ସବୁ ଘଟଣା ରେକର୍ଡିଙ୍ଗ୍‌ କରିବା ବ୍ୟବସ୍ଥା ଥିଲା। ପ୍ରାଣୀ ବିଜ୍ଞାନରେ ‘ପିଏଚ୍‌ଡି’ କରିଥିବା ବ୍ରିଟନ୍‌ ଗିରଫ ହେବା ଆଗରୁ ୧୮ ମାସ ମଧ୍ୟରେ ନିର୍ଯାତନା ଦେଇଥିବା ୪୨ଟି କୁକୁରଙ୍କ ମଧ୍ୟରୁ ୩୯ଟି କୁକୁରଙ୍କର ମୃତ୍ୟୁ ଘଟିଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।