ବ୍ରାଉନ୍‌ସୁଗାର ଜବତ, ୨ ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିରୁ ଲକ୍ଷ୍ମୀସାଗର ଥାନା ପୁଲିସ ୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲ ଟାଙ୍ଗୀ ଥାନା ଅଧୀନ ଭୁଷଣ୍ଡପୁର ଅଞ୍ଚଳର ଅଜିତ ବେପାରୀ ଓରଫ ଟାବଲେଟ୍‌ (୨୭) ଓ ବାଲେଶ୍ୱର ସୋର ଅଞ୍ଚଳର ସେକ୍‌ ଆଲ୍ଲାଉଦ୍ଦିନ ଓରଫ ସୋନୁ ଖାନ୍‌(୩୦)। ଏଠାରେ ଉଭୟ ହଳଦୀପଡ଼ିଆ ବସ୍ତିରେ ରହୁଥିଲେ। ଦୀର୍ଘଦିନ ହେବ ଅଜିତ ଓ ସୋନୁ ହଳଦୀପଡ଼ିଆ ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟ କରିଆସୁଥିଲା। ତେବେ ଶୁକ୍ରବାର ରାତିରେ ଉଭୟ ବାଲେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ଭୁବନେଶ୍ୱରର କେତେକ ସ୍ଥାନକୁ ପଠାଇବା ପାଇଁ ଯୋଜନା କରୁଥିବା ଲକ୍ଷ୍ମୀସାଗର ଥାନା ପୁଲିସ ଜାଣିବାକୁ ପାଇଥିଲା। ବିଳମ୍ବିତ ରାତିରେ ଆଇଆଇସି ଦୟା ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହ ୩୦ ଗ୍ରାମ ବ୍ରାଉନ୍‌ସୁଗାର, ୪ଟି ମୋବାଇଲ୍‌ ଫୋନ୍‌ ଓ ଅଢ଼େଇ ହଜାର ଟଙ୍କା ଜବତ କରିଥିଲା। ପୁଲିସ ଉଭୟଙ୍କୁ ଥାନାକୁ ଅଣି ବିଭିନ୍ନ ଦିଗ ଉପରେ ପଚରାଉଚରା କରିଥିଲା। ଲକ୍ଷ୍ମୀସାର ଥାନା ପୁଲିସ ଏକ ମାମଲା ରୁଜୁ କରି ଉଭୟ ଅଜିତ ଓ ସୋନୁକୁ କୋର୍ଟ ଚାଲାଣ କରିଛି। ତେବେ ଏମାନଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର