ଗଳିକନ୍ଦିରେ ବ୍ରାଉନସୁଗାର କାରବାର: ପୁଣି ୩.୫ ଲକ୍ଷ ଟଙ୍କାର ଜବତ, ୨ ଗିରଫ

ଭୁବନେଶ୍ବର: ଦିନେ କମିସନରେଟ ପୁଲିସ ତ ଆଉ ଦିନେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ପୁଳାପୁଳା ବ୍ରାଉନ୍‌ସୁଗାର ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରୁଛନ୍ତି। ତଥାପି ରାଜଧାନୀରେ ବ୍ରାଉନ୍‌ସୁଗାର କାରବାର କମିବାର ନାଁ ଧରୁନାହିଁ। ଗତକାଲି କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ବାଡ୍ ଗଡ଼ଖୋର୍ଧା ହାଉସିଂବୋର୍ଡ କଲୋନିର କାଳୀ ପ୍ରସାଦ ରାଉଳ ଓ ଜଟଣୀ ଲୋକୋ କଲୋନିର ବିଜୟ ପାଣିଗ୍ରାହୀକୁ ଗିରଫ କରି ୧୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଥିଲା। ଆଜି ପୁଣିଥରେ ଏସ୍‌ଟିଏଫ୍ ଓ କମିସନରେଟ୍‌ ପୁଲିସ ରାଜଧାନୀ ଉପକଣ୍ଠର ଦୁଇଟି ସ୍ଥାନରୁ ୩.୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଏହାସହ ଏହି ବେଆଇନ କାରବରା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ରାଜଧାନୀ ଉପକଣ୍ଠ କପିଳ ପ୍ରସାଦ ଉପର ସାହିର ଜଣେ ଯୁବକଙ୍କୁ ଏସ୍‌ଟିଏଫ୍ ବ୍ରାଉନସୁଗାର ସହ ଗିରଫ କରିଛି। ତା’ ନାଁ ପ୍ରଦୀପ କୁମାର ସାହୁ (୩୮)। ତା’ ନିକଟରୁ ୨୧.୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ପ୍ରଦୀପକୁ ଆଜି କୋର୍ଟ ଚାଲାଣ କରାଯାଇଛି। ପ୍ରଦୀପ ଜଣେ ଖୁଚୁରା ବ୍ୟବସାୟୀ। ସେ ଖୋର୍ଧା ଅଞ୍ଚଳରୁ ବ୍ରାଉନ୍‌ସୁଗାର ଆଣି ପୁରୁଣା ଭୁବନେଶ୍ବର ଅଞ୍ଚଳର କେତେକ ଯୁବକଙ୍କୁ ଯୋଗାଉଥିଲା। ଏ ନେଇ ଖବର ପାଇବା ପରେ ଏସ୍‌ଟିଏଫ୍‌ ତା’ ଉପରେ ନଜର ରଖିଥିଲା। ଗତକାଲି ସେ ଖୋର୍ଧାରୁ ବ୍ରାଉନ୍‌ସୁଗାର ଧରି ଭୁବନେଶ୍ବର ଆସୁଥିବା ବେଳେ ଏସ୍‌ଟିଏଫ୍‌ ହାତରେ ଧରା ପଡ଼ିଥିଲା।

ଏସ୍‌ଟିଏଫ୍‌ ଡିଆଇଜି ଜୟ ନାରାୟଣ ପଙ୍କଜଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତ ମାସକ ମଧ୍ୟରେ ଏସ୍‌ଟିଏଫ୍‌ ପୁରୀ, ବାଲେଶ୍ୱର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୧୦ଟି ମାମଲା ରୁଜୁ କରିଛି। ଏହି ଚଢ଼ଉ ସମୟରେ ଏସ୍‌ଟିଏଫ୍‌ ୨୧ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତମାନଙ୍କଠାରୁ ୮୧୬.୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ସେହିଭଳି ୩୨୬ ଗ୍ରାମ୍‌ ଅଫିମ, ନଗଦ ୧୩ ଲକ୍ଷ ୨୧ହଜାର ଟଙ୍କା, ଗୋଟିଏ ମାରୁତି କାର୍‌, ୮ଟି ମୋଟର ସାଇକେଲ, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ଜିନିଷପତ୍ର ଜବତ କରିଛି। ସେହିପରି ମଞ୍ଚେଶ୍ବର ଥାନା ପୁଲିସ ରୋକଟ ଜଳ ଯୋଗାଣ କେନ୍ଦ୍ର ନିକଟରୁ ସଂଜୟ ବେଜ ନାମକ ଯୁବକକୁ ଗିରଫ କରିଛି। ତା’ ନିକଟରୁ ୧୨ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୧.୫ଲକ୍ଷ ଟଙ୍କା ହେବ। ସେହିପରି ସଂଜୟ ନିକଟରୁ ପୁଲିସ୍‌ ୧୭ ହଜାର ୪ଶହ ଟଙ୍କା ଓ ଗୋଟିଏ ମୋବାଇଲ୍‌ ଜବତ ହୋଇଛି। ସଂଜୟ ଜଣେ ଖୁଚୁରା ବ୍ୟବସାୟୀ। ତାକୁ ଗତ କିଛି ଦିନ ହେବ ମଞ୍ଚେଶ୍ବର ଥାନା ପୁଲିସ ଖୋଜାଖୋଜି କରୁଥିଲା। ସେହିପରି କମିସନରେଟ୍‌ ପୁଲିସ୍‌ ଗତ ୫ ମାସ ମଧ୍ୟରେ ୧୫୦ଜଣ ନିଶାବେପାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧.୫କୋଟି ଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର ଜବତ କରି ସାରିଲାଣି।

ସମ୍ବନ୍ଧିତ ଖବର