ଚନ୍ଦ୍ରଶେଖରପୁର: ପୁଲିସ ଓ କ୍ୟୁଏଟି ଟିମ୍ ଇନ୍ଫୋସିଟି ଥାନା ଅଞ୍ଚଳରେ ମିଳିତ ଚଢ଼ଉ କରି ୨ଜଣ ବ୍ରାଉନ୍ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛିନ୍ତି। ସେମାନଙ୍କଠାରୁ ୧୮ ଗ୍ରାମ ବ୍ରାଉନ୍ସୁଗାର ଓ ନଗଦ ୩୨ଶହ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ଦ୍ବୟ ହେଲେ ଜଗତସିଂହପୁର ନାଉଗାଁର ରଶ୍ମିରଞ୍ଜନ ଦାସ(୨୪) ଓ ସୁକାନ୍ତ ଦାସ(୨୩)। ସେମାନେ ପଟିଆ ଶିଶୁବିହାର ନାଗେଶ୍ବର ବସ୍ତିରେ ରହୁଥିଲେ। ଉଭୟ ପଟିଆ ଇନ୍ଫୋସିଟି ରାସ୍ତାପାର୍ଶ୍ବରେ କେବିନ୍ ପକାଇ ପାନ ଦୋକାନ କରିବା ସହିତ ଏପରି ବେଆଇନ୍ କାରବାର ଚଳାଉଥିଲେ। ସେଠାକୁ ନିକଟସ୍ଥ ଶିକ୍ଷାନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ବ୍ରାଉନ୍ସୁଗାର ଓ ଗଞ୍ଜେଇ ମିଶା ସିଗାରେଟ୍ ପାଇଁ ଯାଉଥିବା ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଆଜି ପୁଲିସ ଓ କ୍ୟୁଏଟି ଟିମ୍ ହଠାତ୍ ଦୋକାନ ଉପରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ କେବିନ୍ ଭିତରୁ ବ୍ରାଉନ୍ସୁଗାର ମିଳିଥିଲା। ଉଭୟ ମଧ୍ୟ କିଛି ଶିକ୍ଷାନୁଷ୍ଠାନର କ୍ୟାମ୍ପସ୍କୁ ଯାଇ ବ୍ରାଉନ୍ସୁଗାର ବିକ୍ରି କରୁଥିବା ଜଣାପଡ଼ିଛି। କିଛି ଦିନ ପୂର୍ବେ ପୁଲିସ୍ ଜଣେ ବ୍ରାଉନ୍ସୁଗାର ବ୍ୟବସାୟୀକୁ ଉକ୍ତ ଅଞ୍ଚଳରୁ ଗିରଫ କରିଥିବା ବେଳେ ରଶ୍ମିରଞ୍ଜନ ଓ ସୁକାନ୍ତ ଉପରେ ପୁଲିସ୍ ସନ୍ଦେହ କରିଥିଲା।