କ୍ୟୁଏଟି କବ୍‌ଜାରେ ନିଶା ମାଫିଆ ଚିତ୍ତ

୩୦ ଗ୍ରାମ ବ୍ରାଉନ୍‌ସୁଗାର, ୧.୪୮ ଲକ୍ଷ ଟଙ୍କା ଜବତ, ଦୁଇ ସହଯୋଗୀଙ୍କ ସହିତ ବାରଙ୍ଗରୁ କୁନା ଗିରଫ

ଭୁବନେଶ୍ୱର/ବାରଙ୍ଗ: ଦୀର୍ଘ ଦିନ ପରେ କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌ ହାବୁଡ଼ରେ ପଡ଼ିଛି ରାଜଧାନୀର କୁଖ୍ୟାତ ବ୍ରାଉନ୍‌ସୁଗାର ବେପାରୀ ଚିତ୍ତରଂଜନ ରାଉତରାୟ ଓରଫ ଚିତ୍ତ। ପୁଲିସ ତାର ଦୁଇ ସହଯୋଗୀକୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ପଳାସୁଣୀ ମୁଣ୍ଡା ବସ୍ତିର ବିଜୟ ବେହେରା ଓ କଳାରାହାଙ୍ଗର କୁଚନ୍ଦ୍ରା ନାଥ। ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନ୍‌ସୁଗାର, ୧.୪୮ ଟଙ୍କା, ଗୋଟିଏ ପଲସର ବାଇକ୍‌ ଓ ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ ଇନ୍‌ଫୋସିଟି ଥାନା ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି ନନ୍ଦନକାନନ ଥାନା ପୁଲିସ ସ୍ଥାନୀୟ ପଦାସାହି ଗାଁ ଛକରୁ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀକୁ ଗିରଫ କରିଛି। ସେ ହେଲା ରମେଶ ବେହେରା ଓରଫ କୁନା(୩୨)। ପୁଲିସ ତା ନିକଟରେ ୧୦.୩୧ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ବାଇକ୍‌(ଓଡି-୦୫ଇ-୧୮୫୧)କୁ ଜବତ କରିଛି। ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି।
କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କାଠାରୁ ମିଳିଥିବା ସୂଚନା ମୁତାବକ, ଚିତ୍ତ ଦୀର୍ଘ ଦିନ ହେବ ରାଜଧାନୀର ପଳାସୁଣୀ ଅଞ୍ଚଳରେ ବ୍ରାଉନ୍‌ସୁଗାର ବେପାର କରି ଆସୁଥିଲା। ପୁଲିସ ତାକୁ ଦୀର୍ଘ ଦିନ ହେଲା ଖୋଜୁଥିଲା। ଆଜି ତାର ଦୁଇ ସହଯୋଗୀ ଖୋର୍ଧାରୁ ବ୍ରାଉନ୍‌ସୁଗାର ଧରି ଇନ୍‌ଫୋସିଟି ଅଞ୍ଚଳକୁ ଆସୁଥିଲେ। ଏହି ସମୟରେ କ୍ୟୁଏଟି ଖବର ପାଇ ଦୁଇ ଜଣଙ୍କୁ କାବୁ କରିବା ପରେ ସେମାନେ ଗ୍ୟାଙ୍ଗ ମୁଖ୍ୟ ଚିତ୍ତ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଚିତ୍ତକୁ ରସୁଲଗଡ଼ରୁ ଗିରଫ କରାଯାଇଥିଲା।

ଚିତ୍ତ ହେଉଛି କୁଖ୍ୟାତ ଚୋରା ମଦ ବେପାରୀ ପଳାସୁଣୀର ହାଡ଼ିବନ୍ଧୁ ରାଉତରାୟ ଓରଫ ହାଡ଼ିଆର ସାନଭାଇ। ଗତ କିଛି ଦିନ ତଳେ ସଂଜୟ ବେହେରା ଓରଫ ଧୋବାକୁ ପଳାସୁଣୀ ମଦ ଦୋକାନ ସମ୍ମୁଖରେ ହାଡ଼ିଆ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥିଲା। ସେ ଏବେ ଜେଲ୍‌ରେ। ହାଡ଼ିଆ ଯାହାକୁ ହତ୍ୟା କରିଥିଲା ତାର ଭାଇ ବିଜୟ ବେହେରା ଚିତ୍ତ ପାଖରେ କାମ କରୁଥିଲା। ହାଡ଼ିଆ ଓ ଚିତ୍ତଙ୍କ ମଧ୍ୟରେ ଗତ କିଛି ଦିନ ତଳେ ବ୍ରାଉନ୍‌ସୁଗାର କାରବାର ଓ ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା। ହାଡ଼ିଆ ନିଜ ଭଉଣୀ ଘର ଉପରକୁ ବୋମାମାଡ଼ କରିବା ସହିତ ଚିତ୍ତର ବୁଲେଟ୍‌ ମଧ୍ୟ ଜାଳି ଦେଇଥିଲା। ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରି ନଥିଲା। ଦୁହେଁ ଖୁଲମ୍‌ଖୁଲା ପଳାସୁଣୀ, ପଳାସୁଣୀ କେନାଲବନ୍ଧ, ଚକେଇସିଆଣୀ ଆଦି ସ୍ଥାନରେ ବ୍ରାଉନ୍‌ସୁଗାରଠାରୁ ଆରମ୍ଭ କରି ଦେଶୀ, ବିଦେଶୀ ମଦ ବିକ୍ରି କରୁଥିଲେ। ତେବେ ଦୁଇ ଭାଇ ଏବେ ଝାରପଡ଼ା ଜେଲ୍‌ରେ ଥିବାରୁ ସେଠାରେ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେବାର ଆଶଙ୍କା ରହିଛି ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର