ଏସ୍‌ଟିଏଫ୍‌ ପଞ୍ଝାରେ କୁଖ୍ୟାତ ନିଶା ମାଫିଆ ଜାମ୍‌ସେଦ; ୬୭୪ ଗ୍ରାମ ବ୍ରାଉନସୁଗାର, ୧୧ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର : ବ୍ରାଉନସୁଗାର କାରବାରକୁ ରୋକିବାକୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଚଳାଇଥିବା ଅଭିଯାନରେ ଆଜି ଏକ ବଡ଼ ସଫଳତା ମିଳିଛି। ଏସ୍‌ଟିଏଫ୍ ହାତରେ ଧରାପଡ଼ିଛି ଜଣେ କୁଖ୍ୟାତ ବ୍ରାଉନସୁଗାର ମାଫିଆ। ତା’ ନାଁ ଜାମସେଦ୍। ନିଜ ଘର ପଶ୍ଚିମବଙ୍ଗରେ। କିନ୍ତୁ ସେ ବାଲେଶ୍ବର ଅଞ୍ଚଳରେ ରହି ଏହି ଧଳା ଜହର କାରବାର ଚଳାଉଥିଲା। ଆଜି ଭୁବନେଶ୍ବରକୁ ବ୍ରାଉନସୁଗାର ନେଇ ଆସିଥିବା ବେଳେ ଲକ୍ଷ୍ମୀସାଗର ଥାନା ଅଧୀନ କଟକରୋଡରୁ ଏସ୍‌ଟିଏଫ ତାକୁ ଗିରଫ କରିଥିଲା। ତା’ ନିକଟରୁ ୬୭୪ ଗ୍ରାମ ବ୍ରାଉନସୁଗାର ଓ ୧୧ଲକ୍ଷ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ। ତେବେ ଏ ସମ୍ପର୍କରେ ଏସଟିଏଫ୍ କୌଣସି ସୂଚନା ଦେଇନାହିଁ। ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସୂଚନା ମୁତାବକ, ଜାମସେଦ୍ ବାଲେଶ୍ବରରୁ ଆସି ହଳଦୀପଡ଼ିଆ ବସ୍ତିରେ ଥିବା କେତେକ ବେପାରୀଙ୍କୁ ବ୍ରାଉନସୁଗାର ଯୋଗାଇଥାଏ। ଆଜି ସେ ବ୍ରାଉନସୁଗାର ଧରି ଭୁବନେଶ୍ବର ଆସିଥିଲା। ଆଗୁଆ ଖବର କ୍ରାଇମବ୍ରାଞ୍ଚ ତାକୁ ଟ୍ରାକ୍‌ କରିଥିଲା। ସେ କଟକରୋଡରେ ପହଞ୍ଚିବା କ୍ଷଣି ତାକୁ ଅଧିକାରୀମାନେ କାବୁ କରି ନେଇଥିଲେ। ଏବେ ଏକ ଗୁପ୍ତ ସ୍ଥାନରେ ରଖି ତାକୁ କ୍ରାଇମବ୍ରାଞ୍ଚ ଜେରା କରୁଛି। ଏଠାରେ ତା’ଠାରୁ କିଏ ବ୍ରାଉନସୁଗାର ନେଇଥାନ୍ତି, ତା’ର ବ୍ରା‌ଉନସୁଗାର କାରବାରର ନେଟୱର୍କ ସମ୍ପର୍କରେ ମଧ୍ୟ ଖୋଳତାଡ଼ କରାଯାଉଛି। ଜାମସେଦ୍‌ ସମଗ୍ର ରାଜ୍ୟକୁ ବ୍ରାଉନସୁଗାର ଯୋଗାଉଥିବା ସୂଚନା ମିଳିଛି।

ଏଠାରେ ପ୍ରକାଶ ଥାଉକି, ଏବେ ଖୋର୍ଧା ଓ ରାଜଧାନୀ ଭୁବନେଶ୍ବର ପାଲଟି ଯାଇଛି ଏହି ମାରାତ୍ମକ ନିଶା ବେପାରର ପେଣ୍ଠସ୍ଥଳ। ଏଠାରୁ ହିଁ ସାରା ରାଜ୍ୟକୁ ଚାଲାଣ ହେଉଛି ବ୍ରାଉନସୁଗାର। ଅବକାରୀ ବିଭାଗ, ସ୍ଥାନୀୟ ପୁଲିସ ଓ କ୍ରାଇମ ବ୍ରାଞ୍ଚର ଏସଟିଏଫ୍‌ ଏକାଧିକ ନିଶା ବେପାରୀଙ୍କୁ ଗିରଫ କରିଥିଲେ ମଧ୍ୟ ଏହି କାରବାର ଥମିବାର ନାଁ ଧରୁନାହିଁ। ବରଂ ଜଣକ ପରେ ଜଣେ ନିଶା ମାଫିଆ ଗିରଫ ହେଉଛନ୍ତି। ପ୍ରଥମେ ଛୋଟା ଓ ପରେ ସେକ୍ ରାଜାକୁ ଗିରଫ କରି କ୍ରାଇମ ବ୍ରାଞ୍ଚ ଚହଳ ସୃଷ୍ଟି କରିଥିଲା। ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୧୧୨ଟି ଏନ୍‌ଡିପିଏସ୍‌ ମାମଲା ରୁଜୁ କରାଯାଇ ୧୪୦ ଜଣଙ୍କୁ ଗିରଫ କରାଯାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୮ଟି ମାମଲା ରୁଜୁ କରାଯାଇଥିବାବେଳେ ୨୮ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୯୩,୮୮,୫୦୦ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି।

ରାଜଧାନୀରେ ବ୍ରାଉନସୁଗାର କାରବାରକୁ ରୋକିବା ଲାଗି କମିସନରେଟ ପୁଲିସର କ୍ୟୁଏଟି, ଅବକାରୀ ବିଭାଗ ଓ ଏସଟିଏଫ ସେମାନଙ୍କ ଅପରେସନକୁ ଜୋରଦାର କରିଛନ୍ତି। ଗତ ୧୧ ଦିନ ମଧ୍ୟରେ ଏସଟିଏଫ୍ ପୁରୀ, ବାଲେଶ୍ବର, ଅନୁଗୁଳ, ଖୋର୍ଧା, ପିପିଲି, ଢେଙ୍କାନାଳ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୯୩ଗ୍ରାମ୍‌ ବ୍ରାଉନ୍‌ସୁଗାର, ୯ଲକ୍ଷ ଟଙ୍କା, ୩ଟି ବାଇକ୍, ବ୍ୟାଙ୍କ ପାସ୍‌ବୁକ୍ ଆଦି ଜବତ କରିଛି। ସେହିପରି କମିସନରେଟ ପୁଲିସ ମଧ୍ୟ ପ୍ରତ୍ୟେକ ଦିନ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରୁଛି।

ସମ୍ବନ୍ଧିତ ଖବର