୬୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଗତ ରାତିରେ ଚଢ଼ଉ କରି ବାଲେଶ୍ବରରୁ ୬୨୯ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଟିଏଫ୍‌ ଅନୁମାନ କରୁଛି। ଏଥିରେ ସମ୍ପୃକ୍ତ ଦୁଇ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ସହଦେବଖୁଣ୍ଟା ଅରଡ଼ବଜାରରେ ରହୁଥିବା ଭଦ୍ରକ ବାଁଶଡ଼ା ଘଣ୍ଟେଶ୍ବରର ସୁଶାନ୍ତ ସେଠୀ ଓ ସହଦେବଖୁଣ୍ଟା ଗଳାପୋଲର ସେକ୍‌ ସହିଦ୍‌। ଏ ନେଇ ସହଦେବଖୁଣ୍ଟା ଥାନା‌ରେ ଏକ ମାମଲା ରୁଜୁ ହୋଇଛି। ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ଏସ୍‌ଟିଏଫ୍‌ କହିଛି। ପୂର୍ବରୁ ବାଲେଶ୍ବରରୁ ଗିରଫ ହୋଇଥିବା ରାଜାର ଏମାନେ ପ୍ରମୁଖ ସହଯୋଗୀ ବୋଲି ଜଣାପଡ଼ିଛି। ବାଲେଶ୍ବରରୁ ଏମାନେ ଭୁବନେଶ୍ବର, କଟକ, ପୁରୀ ଓ ଖୋର୍ଦ୍ଧାକୁ ବ୍ରାଉନସୁଗାର ପଠାଉଥିଲେ। ଗତକାଲି ସେମାନେ ଭୁବନେଶ୍ବରକୁ ନିଶାଦ୍ରବ୍ୟ ପଠାଇବା ପାଇଁ ବ୍ୟବସାୟୀଙ୍କୁ ଅପେକ୍ଷା କରିଥିବା ବେଳେ ପୂର୍ବରୁ ଛକି ରହିଥିବା ଏସ୍‌ଟିଏଫ୍‌ ଅଧିକାରୀମାନେ ଉଭୟଙ୍କୁ ଧରିଥିଲେ।

ତିନିଦିନ ତଳେ ଖୋର୍ଦ୍ଧାରୁ ପ୍ରିୟବ୍ରତ ଦାସ ନାମକ ଜଣେ ବେପାରୀକୁ ଏସ୍‌ଟିଏଫ୍‌ ଧରିଥିଲା। ତା’ ସହିତ ଥିବା ଦୁଇ ଅଭିଯୁକ୍ତ ଭାଲିଆବାଡ଼ିର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ଉପରସାହିର ଦୀପକ ସ୍ବାଇଁ ଓରଫ ଗୁଡ଼ି ଚୋର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପଚରା ଉଚରା ପରେ ପ୍ରିୟବ୍ରତ ସୁଶାନ୍ତ ଓ ସହିଦ୍‌ଙ୍କ ନାମ କହିଥିଲା। ସେବେଠାରୁ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଦଳ ଏମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ତେବେ ନିଶାଦ୍ରବ୍ୟ ନେବାପାଇଁ ଏମାନଙ୍କ ପାଖକୁ ଆସୁଥିବା ଦୁଇ ବେପାରୀଙ୍କ ଉପରେ ଏସ୍‌ଟିଏଫ୍ ନଜର ରଖିଛି।

ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ନିଶା ବେପାରୀଙ୍କ ବିରୋଧରେ ଏସ୍‌ଟିଏଫ୍‌ ୧୬ଟି ମାମଲା ରୁଜୁ କରିଛି। ଅଦ୍ୟାବଧି ୨୯ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେ‌ଳେ ମୋଟ ୨ କେଜି ୨୭୮ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି।

ସମ୍ବନ୍ଧିତ ଖବର