ରାଜଧାନୀରୁ ପୁଣି ୩୯ ଗ୍ରାମର ବ୍ରାଉନ୍‌ସୁଗାର ଜବତ, ୪ ବେପାରୀ ଗିରଫ

ଭୁବନେଶ୍ବର : କମିସନରେଟ୍‌ ପୁଲିସର ଡିଟିଏଫ୍ (ଡ୍ରଗ୍‌ ଟାସ୍କଫୋର୍ସ) ଆଜି ରାଜଧାନୀର ଦୁଇଟି ସ୍ଥାନରେ ଚଢ଼ଉ କରି ୩୯ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଭିଏସ୍‌ଏସ୍‌ନଗରର ଶ୍ରୀକୁମାର ମହାନ୍ତି, ସାମନ୍ତରାପୁର ସ୍ବପ୍ନେଶ୍ବର ସାହିର ତପନ ସାହୁ, ଖୋର୍ଧା ଗୁରୁଜଙ୍ଗର କପିଳ ସୁନ୍ଦରା ଓ ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିର ପ୍ରଦୀପ ପ୍ରଧାନ। ବ୍ରାଉନସୁଗାର ସମେତ ପୁଲିସ ନଗଦ ୪୧ ହଜାର ଟଙ୍କା, ମୋଟର ସାଇକେଲ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି। ଶ୍ରୀକୁମାର, ତପନ ଓ କପିଳକୁ ସହିଦନଗର ଥାନା ପୁଲିସ ଓ ପ୍ରଦୀପକୁ ଲକ୍ଷ୍ମୀସାଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର ବେପାରୀଙ୍କ ସଂଖ୍ୟା ବଢ଼ିବା‌ରେ ଲାଗିଛି। ବସ୍ତିଠାରୁ ଆରମ୍ଭ କରି କଲୋନି, ଆପାର୍ଟମେଣ୍ଟ ସବୁଠି ଏହି ବେପାରୀମାନେ ସେମାନଙ୍କ କାୟାବିସ୍ତାର କରି ରହିଛନ୍ତି। କିଛି ଇଂଜିନିୟରିଂ ଛାତ୍ରଙ୍କଠାରୁ ଆରମ୍ଭ କରି ବଙ୍ଗୀୟ ଯୁବତୀ ଏହି ମାରାତ୍ମକ କାରବାରରେ ସଂପୃକ୍ତ ଅଛନ୍ତି। ବଡ଼ କଥା ହେଲା ଯେ ବ୍ରାଉନସୁଗାରର ବି ହୋମ୍‌-ଡେଲିଭରି ହେଉଛି। ଫୋନ୍‌ କଲେ ବେପାରୀମାନେ ଅଳ୍ପ ସମୟ ମଧ୍ୟରେ ପହଞ୍ଚାଇ ଦେଉଛନ୍ତି। ପାଞ୍ଚ ଦିନ ତଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇଜଣ ଇଂଜିନିୟର ଛାତ୍ରଙ୍କୁ ଗିରଫ କରିଥିଲା। ପୁଲିସ ଦୁହିଁଙ୍କ ନିକଟରୁ ୨୫ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଥିଲା। ସେହିଭଳି ଏକ ସପ୍ତାହ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ ୪ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିବା ବେଳେ ରବିବାର ପୁଣି ୨ଜଣ ଛାତ୍ର ଗିରଫ ହୋଇଥିଲେ। ଦିନ ଥିଲା ବାଲେଶ୍ୱର ଏହି ଧଳା ଜହରର ‌ପେଣ୍ଠସ୍ଥଳ ଥିଲା, କିନ୍ତୁ ଏବେ ଭୁବନେଶ୍ୱର ସେହି ସ୍ଥାନ ନେଇଥିବା ଭଳି ମନେ ହେଉଛି।

ସମ୍ବନ୍ଧିତ ଖବର