ଖୋର୍ଦ୍ଧାରୁ ଅଭିଯୁକ୍ତ ଗିରଫ, ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌କୁ ପୁଣି ସଫଳତା ମିଳିଛି। ଗତ ରାତିରେ ଖୋର୍ଦ୍ଧାରେ ଚଢ଼ଉ କରି ଏସ୍‌ଟିଏଫ୍‌ ୩୦୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଟାଉନ ଥାନା ଶରଧାପୁର ଗ୍ରାମର ପ୍ରିୟବ୍ରତ ଦାସ। ତା’ ସହିତ ଥିବା ଅନ୍ୟତମ ଦୁଇ ଅଭିଯୁକ୍ତ ଭାଲିଆବାଡ଼ିର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ଉପରସାହିର ଦୀପକ ସ୍ବାଇଁ ଓରଫ ଗୁଡ଼ିଚୋର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଅଭିଯୁକ୍ତ ଠାରୁ ଏହି ନିଶାଦ୍ରବ୍ୟ ସମେତ ଏକ ପଲ୍‌ସର ବାଇକ୍‌ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଟିଏଫ୍ ଅନୁମାନ କରୁଛି।

ଏହି ତିନିଜଣ ବାଲେଶ୍ବରରୁ ବ୍ରାଉନ୍‌ସୁଗାର ଆଣି ଏଠାରେ ଦୀର୍ଘ ଦିନ ହେବ ବେପାର କରୁଥିଲେ। ନିଶା କାରବାରର ମୁଖିଆ ଥିବା ‘ଛୋଟା’ ଧରାପଡ଼ିବା ପରେ ଏମାନେ କିଛି ଦିନ ବେପାର ବନ୍ଦ କରି ଦେଇଥିଲେ। ଏସ୍‌ଟିଏଫ୍‌ର ଧରପଗଡ଼ ବନ୍ଦ ହେବା ପରେ ଏମାନେ ପୁଣି ସକ୍ରିୟ ହୋଇଥିଲେ। ପୁଲିସକୁ ହାତଗୁଞ୍ଜା ଦେଇ ବେଶ୍‌ ସୁରୁଖୁରୁରେ ବେପାର ଚଳାଇଥିଲେ। ଗତ ରାତିରେ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଦଳ ଖୋର୍ଦ୍ଧା ସହରରେ ଡେରା ପକାଇଥିଲା। ଏମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା। ଏମାନେ ନିଶାଦ୍ରବ୍ୟ ଧରି ଗ୍ରାହକମାନଙ୍କୁ ବିକ୍ରି କରିବା ପାଇଁ ବାହାରିବା ବେଳେ ମାଡ଼ି ବସିଥିଲେ। ଫେରାର ଦୁଇଜଣଙ୍କ ପାଖରେ ମଧ୍ୟ ୫୦୦ଗ୍ରାମ୍‌ରୁ ଅଧିକ ବ୍ରାଉନ୍‌ସୁଗାର ଥିଲା ବୋଲି ଜଣା ପଡ଼ିଛି। ଆବଶ୍ୟକ ପଡ଼ିଲେ ଫେରାର ଅଭିଯୁକ୍ତଙ୍କ ସମ୍ବନ୍ଧରେ ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇ ପାରେ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଚଳିତବର୍ଷ କଟକ, ପୁରୀ, ବାଲେଶ୍ବର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ୱର ଏବଂ ଭଦ୍ରକ ଅଞ୍ଚଳରେ ଚଢ଼ଉ କରି ନିଶା ବେପାରୀଙ୍କ ବିରୋଧରେ ଏସ୍‌ଟିଏଫ୍‌ ୧୫ଟି ମାମଲା ରୁଜୁ କରିଛି। ଅଦ୍ୟାବଧି ୨୭ ଅଭିଯୁକ୍ତ ଗିରଫ ହୋଇଥିବା ବେ‌ଳେ ମୋଟ ୧ କେଜି ୬୪୯ ଗ୍ରାମ ବ୍ରାଉନ୍‌ସୁଗାର, ୩୨୬.୪୫ ଗ୍ରାମ ଅଫିମ, ନଗଦ ୧୩,୨୧,୦୦୦ ଟଙ୍କା, ୪ଟି ଅଟୋମେଟିକ୍ ପିସ୍ତଲ, ମାଗାଜିନ, ଅନେକ ଜୀବନ୍ତ ଗୁଳି, କାର୍‌ ଓ ବାଇକ୍‌ ଜବତ ହୋଇଛି।

ସମ୍ବନ୍ଧିତ ଖବର