ଖଣ୍ଡଗିରି : ଖୋର୍ଧାରେ ବ୍ରାଉନ୍ସୁଗାର ବେପାର ଥମିବା ନାଁ ଧରୁନାହିଁ। ସୋମବାର ଅପରାହ୍ଣରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଛି ଜଣେ ବଡ଼ ବେପାରୀ। ଅଭିଯୁକ୍ତ ଜଣକ ଖୋର୍ଧା ଶ୍ରୀବିହାରର ଆନନ୍ଦ ପଶ୍ଚିମକବାଟ(୪୦) ବୋଲି ସୂଚନା ମିଳିଛି। ତା’ ନିକଟରୁ ୧୬୫ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏହାର ବଜାର ଦର ପ୍ରାୟ ୧୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନାନୁସାରେ ଆନନ୍ଦ ଦୀର୍ଘ ବର୍ଷ ଧରି ଖୋର୍ଧାରେ ଏହି କାରବାର ଚଳାଇ ଆସୁଛି। ବାଲେଶ୍ବର ଓ ଜଳେଶ୍ବରର ବଡ଼ ବେପାରୀମାନେ ତା’ ସିହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ସେମାନେ ତା’ ନିକଟରେ ମାଲ୍ ପହଞ୍ଚାଇବା ପରେ ସେ ଛୋଟ ବେପାରୀଙ୍କ ଜରିଆରେ ଖୋର୍ଧା ସହର ଏବଂ ଉପକଣ୍ଠ ଅଞ୍ଚଳରେ ବେପାର ଚଳାଏ। ଆଜି ଅପରାହ୍ଣ ପ୍ରାୟ ୪ଟାବେଳେ ଖୋର୍ଧା ଚଣ୍ଡୀଚୁଆ ନିକଟରେ ସେ କିଛି ଛୋଟ ବେପାରୀଙ୍କୁ ମାଲ୍ ଯୋଗାଇବା ପାଇଁ ଅପେକ୍ଷା କରିଥିବା ବେଳେ ଅବକାରୀ ସ୍କ୍ବାଡ୍ ତାକୁ କାବୁ କରିଥିଲା। ଏହି ସ୍କ୍ବାଡ୍ରେ ଆଇଆଇସି ଜଗଦୀଶଚନ୍ଦ୍ର ସାମଲ, ଇନ୍ସ୍ପେକ୍ଟର ଗାଲୁରାମ୍ ସୋରେନ୍, ଏଏସ୍ଆଇ ଦେବେନ୍ଦ୍ର ପ୍ରହରାଜ, ଜେକେ ନାୟକ ଓ ପ୍ରଦୀପ ବେହେରା ପ୍ରମୁଖ ସାମିଲ୍ ଥିଲେ।
ଝାଡ଼ଖଣ୍ଡ ଗଞ୍ଜେଇ ବେପାରୀ ଗିରଫ
ଖଣ୍ଡଗିରି : ଓଡ଼ିଶାରୁ ଝାଡ଼ଖଣ୍ଡକୁ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବେପାରୀକୁ ସୋମବାର ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଝାଡଖଣ୍ଡ ରାଞ୍ଚିର ମନୁ କୁମାର ରାଜ୍(୨୪)। ପୁଲିସ ତା’ ନିକଟରୁ ସାଢ଼େ ୧୦ କିଲୋ ଗଞ୍ଜେଇ ଜବତ କରିଛି। ଏହାର ବଜାର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। କନ୍ଧମାଳରୁ ଜଣେ ବେପାରୀ ଏହି ମାଲ୍ ନେଇ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ମନୁକୁ ହସ୍ତାନ୍ତର କରିଥିଲା। ମନୁ ସନ୍ଧ୍ୟାରେ ବସ୍ଯୋଗେ ଏହି ମାଲ୍ ନେଇ ଝାଡଖଣ୍ଡ ଯିବାର ଥିଲା। ତେଣୁ ସେ ଖରାବେଳ କଟାଇବାକୁ ସ୍ଥାନୀୟ ଏକ ହୋଟେଲକୁ ଚାଲି ଚାଲି ଯାଉଥିବାବେଳେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲା।