ବ୍ରାଉନସୁଗାର ଜବତ, ଜଣେ ଗିରଫ

ମୋ ବସ୍‌ କର୍ମଚାରୀଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ, ଅନ୍‌ଲାଇନ୍‌ ଠକେଇ : ଫୋନ୍‌ ପେ’ରେ ନେଇଗଲେ ୧୫ ହଜାର

ଭୁବନେଶ୍ୱର : ମଞ୍ଚେଶ୍ବର ଥାନା ପୁଲିସ ସ୍ଥାନୀୟ ପଳାଶୁଣି ମୁଣ୍ଡା ବସ୍ତିରେ ଚଢ଼ାଉ କରି ୯.୭୦ ଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗାର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି ପଶ୍ଚିମବଙ୍ଗ ୨୪ ପ୍ରଗଣା ନୂଆହାତୀ ଗାରିଫା ଗ୍ରାମର ମୁକେଶ ଚୌଧୁରୀ। ସେ ଏହି ମୁଣ୍ଡା ବସ୍ତିରେ ଦୀର୍ଘ ଦିନ ହେବ ରହିବା ସହ ବେପାର କରି ଆସୁଥିଲା। ଅଭିଯୁକ୍ତ ପାଖରେ ରାତି ଦିନ ୨୪ ଘଣ୍ଟା ଏହି ବସ୍ତିରେ ନିଶାଦ୍ରବ୍ୟ ଉପଲବ୍ଧ ହେଉଥିଲା। ତା ଛଡ଼ା ଶୌଚାଳୟ, କିମ୍ଭୀରିଆ ବସ୍ତି, ପାଣ୍ଡରା ଅଞ୍ଚଳରେ ବି ବୁଲି ବୁଲି ବିକ୍ରି କରୁଥିଲା। ପୂର୍ବରୁ ଖବର ପାଇ ପୁଲିସ ତା’ ଉପରେ ନଜର ରଖିଥିଲା। ଗତକାଲି ସେ ଏହ‌ି ନିଶାଦ୍ରବ୍ୟ ବିକ୍ରି କରିବା ପାଇଁ ଯାଉଥିବା ବେଳେ ଧରା ପଡ଼ିଥିଲା।

ମୋ ବସ୍‌ କର୍ମଚାରୀଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ
ଖଣ୍ଡଗିରି : ମୋ’ ବସ୍‌ କମର୍ଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ବୁଧବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ବରମୁଣ୍ଡା ଜଗନ୍ନାଥବିହାରର ଅଖୁ ପ୍ରଧାନ ଓରଫ ଅଖୁ ବଳ(୨୮)। ପୁଲିସ ସୂଚନାନୁସାରେ, ଗତକାଲି ଅପରାହ୍‌ଣ ପ୍ରାୟ ୪ଟା ବେଳେ ଅଭିଯୁକ୍ତ ଅଖୁ ବରମୁଣ୍ଡାରେ ମୋ’ ବସ୍‌କୁ ଅଟକାଇ କର୍ମଚାରୀମାନଙ୍କୁ ଗାଳିମନ୍ଦ କରିଥିଲା ଓ ଡ୍ରାଇଭର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲା। ଡ୍ରାଇଭରଙ୍କୁ ବଞ୍ଚାଇବାକୁ ଯାଇ ମହିଳା କଣ୍ଡକ୍ଟର ସରିତା(ଛଦ୍ମନାମ) ଅଖୁର ଅଶ୍ରାବ୍ୟ ଗାଳିମନ୍ଦରୁ ବର୍ତ୍ତି ନଥିଲେ। ଏନେଇ ସରିତା ତୁରନ୍ତ ଖଣ୍ଡଗିରି ଥାନା ପୁଲିସକୁ ଫୋନ୍‌ କରି ଜଣାଇ ଥିଲେ। କିନ୍ତୁ ଅଖୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ତେବେ ପରେ ପୁଲିସ ତାକୁ ଗିରଫ କରିଥିଲା। ପୂର୍ବରୁ ଥରେ ଉକ୍ତ ବସ୍‌ଟି ଅଖୁ କଥାରେ ଅଟକି ନ ଥିବାରୁ ରାଗରେ ସେ ଗତକାଲି ଏଭଳି କାଣ୍ଡ ଭିଆଇଥିଲା।

ଅନ୍‌ଲାଇନ୍‌ ଠକେଇ : ଫୋନ୍‌ ପେ’ରେ ନେଇଗଲେ ୧୫ ହଜାର
ଭୁବନେଶ୍ୱର : ଅନ୍‌ଲାଇନ୍‌ କାରବାର ଯେତିକି ବଢ଼ୁଛି ଠକେଇ ମଧ୍ୟ ସେଇ ଅନୁପାତରେ ବଢ଼ିବାରେ ଲାଗିଛି। ମୋବାଇଲ୍‌ ଫୋନ୍‌ରେ ବ୍ୟାଙ୍କ୍‌ ଆକାଉଣ୍ଟ ପରିଚାଳନା କଲାବେଳେ ବେଶି ଠକେଇ ହେଉଛି। ଧରାପଡ଼ିବା ସମ୍ଭାବନା ଥିଲେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ନଗଣ୍ୟ ହେଉଥିବାରୁ ଠକଙ୍କର ସାହସ ବଢ଼ୁଛି। ମଞ୍ଚେଶ୍ବର ଥାନା ଅଞ୍ଚଳରେ ଆଜି ଏଭଳି ଏକ ଅନ୍‌ଲାଇନ୍‌ ଠକେଇ ଅଭିଯୋଗ ହୋଇଛି। ଫୋନ୍‌ ପେ’ରେ ଅଫର ଅଛି କହି ଦୁର୍ବୃତ୍ତଜଣକ ‌ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୫ ହଜାର ଟଙ୍କା ଲୁଟି ନେଇଯାଇଛି। ଅଭିଯୋଗକାରୀ ହେଉଛନ୍ତି ଆଠଗଡ଼ ବେଣ୍ଠପଦାର ଅଶୋକ ସାହୁ। ସେ ସତ୍ୟନଗର ଅଞ୍ଚଳରେ ଭଡ଼ାରେ ରହିବା ସହ ଛକରେ ଫଳ ବ୍ୟବସାୟ କରନ୍ତି। ଅନେକ ଗ୍ରାହକ ଅନ୍‌ଲାଇନ୍‌ରେ ପଇସା ଦେବାକୁ ଚାହୁଥିବାରୁ ସେ ମୋବାଇଲ୍‌ରେ ଫୋନ୍‌ ପେ’ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। ଗତକାଲି ତାଙ୍କୁ ଫୋନ୍‌ ପେ’ରେ ଅଫର ଥିବା ନେଇ ଏକ ବୋମାଇଲ୍‌ ନଂ(୭୦୦୪୨୧୪୪୯୯)ରୁ କଲ୍‌ ଆସିଥିଲା। ଏହା ପରେ ଫୋନ୍‌ ପେ’କୁ ଏକ ମେସେଜ୍‌ ଆସିଥିଲା। କଲରର ନିର୍ଦ୍ଦେଶ ମୁତାବକ ସେ ମେସେଜ୍‌ରେ ‘ଓକେ’ କ୍ଲିକ୍‌ କରିବା ପରେ ତିନି କିସ୍ତିରେ ଟଙ୍କା କଟି ଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର