‘ରିଭେଞ୍ଜ୍‌ ପର୍ଣ୍ଣ’ ପାଇଁ ବିଟେକ୍‌ ଛାତ୍ରଙ୍କୁ ୫ ବର୍ଷ ଜେଲ୍‌

କୋଲ୍‌କାତା: ପୂର୍ବ ମିଦନାପୁର ଅନ୍ତର୍ଗତ ତାମଲୁକର ଗୋଟିଏ ଅଦାଲତ ପନ୍‌ସକୁରାର ଜଣେ ୩ୟ ବର୍ଷ ବିଟେକ୍‌ ଛାତ୍ରଙ୍କୁ ୫ ବର୍ଷ କାରାଦଣ୍ଡ ଓ ୯ ହଜାର ଟଙ୍କା ଜରିମାନା କରିଛି। ତାଙ୍କର ଅପରାଧ ସେ ଜଣେ ପରିଚିତା ଝିଅର ଆପତ୍ତିଜନକ ଚିତ୍ରାବଳୀ ଓ ଭିଡିଓ ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ୍‌ କରିଥିଲେ।

ଅଭିଯୋଗ ଦାଏର ହେବା ପରେ ଅଭିଯୁକ୍ତ ଅନିମେଶ ବକ୍ସିଙ୍କୁ ୨୦୧୭ ମସିହା ଜୁଲାଇ ୨୧ ତାରିଖ ଦିନ ଗିରଫ କରାଯାଇ ୨୦୧୮ ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ତାଙ୍କର ବିଚାର ସରିଥିଲା। ସିଆଇଡି ଏହାର ତଦନ୍ତ କରିଥିଲା। ଝିଅର ଅଭିଯୋଗ ଥିଲା ଯେ ସେ ବକ୍ସିଙ୍କୁ ତିନି ବର୍ଷ ହେବ ଜାଣେ ଏବଂ ତାଙ୍କୁ ବିଶ୍ୱାସ କରେ। ବିବାହ ପ୍ରତିଶ୍ରୁତି ଦେଇ ବକ୍ସି ତାଙ୍କର କେତେକ ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ନେଇଥିଲା। ଯଦି ଶାରୀରିକ ସମ୍ପର୍କ ନ ରଖେ ତେବେ ସେଗୁଡ଼ିକୁ ଅପ୍‌ଲୋଡ୍‌ କରି ଦିଆଯିବ ବୋଲି ସେ ଧମକାଇ ଥିଲେ।

ଏହା ପ୍ରତିଶୋଧାତ୍ମକ ପର୍ଣ୍ଣଗ୍ରାଫି ବୋଲି ଓକିଲ ଅଦାଲତରେ ଦର୍ଶାଇଥିଲେ। କାରଣ ଯେତେ ଥର ସେ ଝିଅ ଦୁଷ୍କର୍ମର ଶିକାର ହୋଇଥିଲେ କେହି ଜଣେ ସେତେ ଥର ସେ ସବୁ କାଣ୍ଡର ଫଟୋ ଉତ୍ତୋଳନ କରିଥିଲେ।

ସିଆଇଡି ୪୨ ଦିନ ମଧ୍ୟରେ ବକ୍ସିଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ୫୦ ଦିନ ପରେ ଚାର୍ଜ ଫ୍ରେମ୍‌ କରାଯାଇଥିଲା। ସାକ୍ଷୀ ପରୀକ୍ଷଣ ଆଉ ୬୦ ଦିନ ସମୟ ନେଇଥିଲା। ୧୮ ଜଣ ଏହି ମାମଲାରେ ସାକ୍ଷୀ ଦେଇଥିଲେ।

ସମ୍ବନ୍ଧିତ ଖବର