ଗୋଟିଏ ପ୍ଲଟକୁ ୨ ଜଣଙ୍କୁ ବିକି ବନ୍ଧା ହେଲେ ବିଲ୍‌ଡର

ଖଣ୍ଡଗିରି: ଗୋଟିଏ ପ୍ଲଟକୁ ୨ଜଣଙ୍କୁ ବିକିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ଜଣେ ବିଲ୍ଡରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଇନ୍‌ଫୋସିଟି ଥାନା ସମ୍ପର୍କ ନଗରରେ ରହୁଥିବା କ୍ରିଷ୍ଣା ମୋହନ ରାଓ(୭୪)। ୨୫ ବର୍ଷ ପୂର୍ବେ ପ୍ରଥମ ଗ୍ରାହକଙ୍କଠାରୁ ୪୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ପୂର୍ବରୁ ଅଭିଯୁକ୍ତ ରାଓ ଏଭଳି ମାମଲାରେ ଖଣ୍ଡଗିରି ଥାନା ଓ କ୍ୟାପିଟାଲ ଥାନା ପୁଲିସ ହାତରେ ଗିରଫ ହୋଇଥିବା ସୂଚନା ମିଳିଛି। ତମାଣ୍ଡୋ ଥାନା କଳିଙ୍ଗନଗର(କେ-୫)ରେ ରହୁଥିବା ଅଭିଯୋଗକାରୀ ରବୀନ୍ଦ୍ର ନାଥ ମିଶ୍ର ୧୯୯୪ ମସିହାରେ ଅଭିଯୁକ୍ତ ରାଓଙ୍କଠାରୁ ଜାଗମରା ମୌଜାରେ ୩ଟି ପ୍ଲଟ କିଣିଥିଲେ। ରାଓ ସେତେବେଳେ ଟେକ୍ନୋ ଇଂଜିନିୟରିଂ କୋ-ଅପରେଟିଭ୍ ସୋସାଇଟି କରି ପ୍ଲଟ ବିକ୍ରି କରୁଥିଲେ। କ୍ରେତା ଶ୍ରୀ ମିଶ୍ର ପ୍ରତି ପ୍ଲଟ ବାବଦରେ ୪୫ ହଜାର ଟଙ୍କା ଲେଖାଏଁ ପଇଠ କରିଥିଲେ ବି କୌଣସି କାରଣରୁ ଗୋଟିଏ ପ୍ଲଟ ରେଜିଷ୍ଟ୍ରି ହୋଇପାରିନଥିଲା। କିନ୍ତୁ ରାଓ ୩ଟି ଯାକ ପ୍ଲଟକୁ ମିଶାଇ ଗୋଟିଏ ପ୍ଲଟଭାବେ ପାଚେରି କରି ଶ୍ରୀ ମିଶ୍ରଙ୍କୁ ଦଖଲ ଦେଇଥିଲେ। ତେବେ ରାଜ୍ୟ ବାହାରେ ଚାକିରି କରୁଥିବା ଶ୍ରୀ ମିଶ୍ରଙ୍କ ଦୀର୍ଘ ବର୍ଷର ଅନୁପସ୍ଥିତିକୁ ମଉକା ଭାବେ ନେଇ ରାଓ ପାଚେରି ଭାଙ୍ଗି ଉକ୍ତ ପ୍ଲଟରୁ ରେଜିଷ୍ଟ୍ରି ‌ହୋଇନଥିବା ୧୩ ଶହ ବର୍ଗଫୁଟ୍‌ ଜମିକୁ ଅନ୍ୟ ଜଣଙ୍କୁ ବିକି ଦେଇଥିଲେ। ଏହା ଜାଣିବା ପରେ ଶ୍ରୀ ମିଶ୍ର ୨୦୧୮ ନଭେମ୍ବରରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର