ଚାକିରି ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, ବିଲ୍‌ଡର ଗିରଫ

ପୁରୁଣା ଭୁବନେଶ୍ୱର: ଚାକିରି ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଡଗଡ଼ ଥାନା ପୁଲିସ ଜଣେ ବିଲ୍‌ଡରକୁ ଗିରଫ କରିଛି। ସେ ହେଲେ, କେଦାରଗୌରୀ ବିହାରର ଦେବାଶିଷ ସାମନ୍ତରାୟ(୩୭)। ସେଠାରେ ତାଙ୍କର ଏକ ବିଲ୍‌ଡର ସଂସ୍ଥା କାର୍ଯ୍ୟାଳୟ ରହିଛି। ପୁଲିସ ସୂଚନା ଅନୁଯାୟୀ, ଭଦ୍ରକ ଅଞ୍ଚଳର ଜଣେ ମହିଳାଙ୍କ ସ୍ୱାମୀ ବିଦେଶରେ ଚାକିରି କରନ୍ତି। ଦେବାଶିଷ ଉକ୍ତ ମହିଳାଙ୍କୁ ତାଙ୍କ ସଂସ୍ଥାରେ ଚାକିରି କରାଇ‌ଦେବା ପ୍ରଲୋଭନ ଦେଖାଇଥିଲେ। ସାକ୍ଷାତକାର ପାଇଁ ତାଙ୍କୁ କେଦାରଗୌରୀ ବିହାରରେ ଥିବା କାର୍ଯ୍ୟାଳୟକୁ ଡକାଇଥିଲେ। ମହିଳାଜଣଙ୍କ ସେଠାରେ ପହଞ୍ଚିବା ପରେ ଦେବାଶିଷ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଏ ସଂପର୍କରେ କାହାରିକୁ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କିନ୍ତୁ ଦେବାଶିଷଙ୍କ ଧମକରେ ଡରି ନଯାଇ ମହିଳାଜଣକ ଗତ ୧୫ ତାରିଖରେ ବଡ଼ଗଡ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିଲଡର୍‌କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର