ଜାଲ୍‌ ବିଡିଏ ମଞ୍ଜୁରିରେ ଠକାମି, ବିଲଡର୍‌ ଗିରଫ

ଯୁବତୀଙ୍କୁ ବ୍ଲାକ୍‌ମେଲିଂ, ଯୁବକ ଗିରଫ

ଖଣ୍ଡଗିରି : ନକଲି ବିଡିଏ ମଞ୍ଜୁରି (ଆପ୍ରୁଭାଲ୍‌) ଦେଇ ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ବିଲଡର୍‌ଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ, ଚନ୍ଦ୍ରଶେଖରପୁର କୈଳାସ ବିହାରର ସନ୍ଦୀପ୍ତ କିଶୋର ପଟ୍ଟନାୟକ(୫୦)। ବିନା ମଞ୍ଜୁରିରେ ଗୃହ ନିର୍ମାଣ ହୋଇଥିବା କାରଣରୁ ବିଡିଏରେ ଜରିମାନା ଦେବାକୁ ପଡ଼ିବା ପରେ ଏହି ଜାଲିଆତି କଥା ପଦାକୁ ଆସିଥିଲା। ପୁଲିସ ସୂଚନାନୁସାରେ, କଳିଙ୍ଗନଗର କେ-୧ ଅଞ୍ଚଳରେ ରହୁଥିବା ଡାକ୍ତର ସଂଘମିତ୍ରା କର ୨୦୧୦ ମସିହାରେ ଏକ ଘର କିଣିଥିଲେ। ଅଭିଯୁକ୍ତ ସନ୍ଦୀପ୍ତ ଉକ୍ତ ଘର ନିର୍ମାଣ ଓ ବିକ୍ରି ଦାୟିତ୍ବ‌ରେ ଥିଲେ। ସେ ବିଡିଏରୁ ମଞ୍ଜୁରି ନ ଆଣି ଘର ତିଆରି କରି ଡାକ୍ତର କରଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ପରେ ବେଆଇନ ଗୃହ ନିର୍ମାଣ କରିଥିବାରୁ ଡାକ୍ତର କରଙ୍କୁ ବିଡିଏ ନୋଟିସ୍ ପଠାଇଥିଲା। ଡାକ୍ତର କର ଉକ୍ତ ବିଡିଏ ମଞ୍ଜୁରି ଦାଖଲ କରିବା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା। ତେଣୁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥିଲା। ଏଭଳି ଠକାମିର ଶିକାର ହୋଇଥିବାରୁ ସେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ଯୁବତୀଙ୍କୁ ବ୍ଲାକ୍‌ମେଲିଂ, ଯୁବକ ଗିରଫ
ଭୁବନେଶ୍ବର : ଜଣେ ଯୁବତୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ କରିବା ସହ ତାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କ ଗିରଫ କରିଛି। ସେ ହେଲେ, କଟକ ମାହାଙ୍ଗାର ସେକ୍‌ ରାଜାକ୍‌ ତୁଲା। ନୂ୍ଆପଲ୍ଲୀ ଅଞ୍ଚଳର ଏକ ଚାଟାର୍ଡ ଫାର୍ମରେ ଚାକିରି କରେ। ପୁଲିସ ସୂଚନା ଅନୁଯାୟୀ, ରାଜାକ୍‌ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ତେବେ ଯୁବତୀଜଣଙ୍କ ଅନ୍ୟ କାହାକୁ ଭଲ ପାଉଥିବା ଜାଣିବା ପରେ ତାଙ୍କ ସଂପର୍କ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ବନ୍ଧୁତାର ସମ୍ପର୍କ ବଢ଼ାଇ ଯୁବତୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ କରିବା ସହ ତାଙ୍କୁ ଭଲ ନ ପାଇଲେ ତାଙ୍କର କିଛି ଆପତ୍ତିଜନକ ଫଟୋ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର