ଜମି ଦେବା ଓ ବ୍ୟାଙ୍କ ଋଣରେ ଠକେଇ : ବିଲ୍‌ଡରଙ୍କ ପତ୍ନୀଙ୍କ ସମେତ ଦୁଇ ଗିରଫ

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚର ଅପରାଧ ଶାଖା ଆଜି ଦୁଇ ଜଣ ଠକେଇ ଅଭିଯୁକ୍ତଙ୍କୁ ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଗିରଫ କରିଛି। ସେମାନେ ହେଲେ ଶାରଳା ରିଅଲକନ୍‌ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କ ପତ୍ନୀ ପଙ୍କଜିନୀ ଜେନା। ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ ପାତ୍ରପୁରରେ। ଏଠାରେ ସେ ଲକ୍ଷ୍ମୀସାଗର ଥାନା ଅଧୀନ ଜୟଦୁର୍ଗାନଗରରେ ରହନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମ୍‌ବ୍ରାଞ୍ଚ। ସେହିପରି କଟକ ନୟାସଡ଼କ ଆଲ୍ଲାହାବାଦ ବ୍ୟାଙ୍କର ୨.୨୬ କୋଟି ଋଣ ନେଇ ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ପ୍ରମୋଦ କୁମାର ଜେନା। ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ଜାଇଁଲୋ ଗାଁରେ। ଏହି ଠକେଇ ଘଟଣାରେ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ୧୬ ଜଣଙ୍କୁ ଗିରଫ କରିଛି।

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୦ ମସିହାରେ ଶାରଳା ରିଅଲକନ୍‌ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା କି, ରାଜଧାନୀ ଭୁବନେଶ୍ୱର ଓ ଉପକଣ୍ଠରେ ଜମି କିସ୍ତିରେ ଯୋଗାଇ ଦେବ। ଏଭଳି ବିଜ୍ଞାପନ ଦେଇ ସଂସ୍ଥା ପାଖାପାଖି ୧୭ କୋଟି ଟଙ୍କା ଆଦାୟ କରିଥିଲା। ସେହିଭଳି ଆଇଆଇଟିର ପ୍ରଫେସର ଡ. ରବୀନ୍ଦ୍ର କୁମାର ପଣ୍ଡା ମଧ୍ୟ ଶାରଳା ରିଅଲ୍‌କନ୍‌ଠାରୁ ଜମି କିଣିବେ ବୋଲି ଟଙ୍କା ଦେଇଥିଲେ। ଏ ନେଇ ଚୁକ୍ତି ମଧ୍ୟ ହୋଇଥିଲା ଶାରଳା ରିଅଲକନ୍‌ ସହିତ। କିନ୍ତୁ ସଂସ୍ଥା ପକ୍ଷରୁ ଜମି ଯୋଗାଇ ଦିଆଯାଇ ପାରି ନ ଥିଲା। ଏ ନେଇ ଡ. ପଣ୍ଡା କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଗୟାଧର ଜେନା, ନିବାସ ଚନ୍ଦ୍ର ଜେନା ଓ କୈଳାସ ଚନ୍ଦ୍ର ମୁଦୁଲିଙ୍କୁ ଗିରଫ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗୟାଙ୍କ ରାଜଧାନୀ ଉପକଣ୍ଠରେ ଥିବା ୯୫ ଏକର ଜମି, ୧୫ ଲକ୍ଷ ଟଙ୍କା, ପଟିଆ ଘର ଓ ୪ଟି ଦାମୀ ଗାଡ଼ି ଜବତ କରାଯାଇଛି।

ସେହିପରି ଅନ୍ୟ ଏକ ମାମଲାରେ ଗିରଫ ହୋଇଥିବା ପ୍ରମୋଦ ନିଜକୁ କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ କର୍ମଚାରୀ ପରିଚୟ ଦେଇ ୮୫ ଜଣଙ୍କ ନାଁରେ ୨.୨୬ ଟଙ୍କାର (ସରଳ ଋଣ ସ୍କିମ୍‌) ଋଣ କରାଇ ଦେଇଥିଲେ। ପରିବର୍ତୀ ସମୟରେ ଜଣାପଡ଼ିଥିଲା କି ଜାଲ୍‌ କାଗଜପତ୍ର ମାଧ୍ୟମରେ ଏଭଳି ଋଣ କରାଯାଇଛି। କେହି ଜଣେ ହେଲେ ବି ଡ୍ରେନେଜ ଡିଭିଜନ୍‌ କର୍ମଚାରୀ ନୁହନ୍ତି। ଏ ନେଇ ଆଲ୍ଲାହାବାଦ ବ୍ୟାଙ୍କ ମ୍ୟାନେଜର ପ୍ରଣବ କୁମାର ରାୟ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା।

ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାରେ ରାଜେଶ ରଂଜନ ପ୍ରଧାନ, ରବୀନ୍ଦ୍ର କୁମାର ଜେନା, ବିଶ୍ୱନାଥ ସାମନ୍ତରାୟ, ଚନ୍ଦ୍ରଶେଖର ପାତ୍ର, ଶରତ କୁମାର ବେହେରା, ଦିଲ୍ଲୀପ କୁମାର ନାଥ, ଆନନ୍ଦ ଚନ୍ଦ୍ର ନାୟକ, ନିରୋଦ କୁମାର ମଙ୍ଗରାଜ, ଜିତେନ୍ଦ୍ରୀୟ ପାତ୍ର, କେ ଶ୍ରୀକାନ୍ତ ପାତ୍ର, ସରୋଜ କୁମାର ପ୍ରଧାନ, ସୁରଜ ଦିଗାଲ, ପପୁନ ପ୍ରଧାନ, ଅରୁଣ କୁମାର କହଁର, ତ୍ରିଲୋଚନ ରାଉତ, ପରମ ନାୟକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର