ପୂର୍ବ ଶତ୍ରୁତାରୁ ଯୁବକଙ୍କ ବାଇକ୍‌ ପୋଡ଼ିଦେଲେ

ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚକେଇସିଆଣି ଶ୍ରୀରାମନଗରରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଥିଲା। ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ଉପେନ୍ଦ୍ର ମଲ୍ଲିକ ନାମକ ଜଣେ ଯୁବକଙ୍କ ବାଇକ୍‌ ପୋଡ଼ି ଦେବା ସହ ତାଙ୍କୁ ଧମକ ଚମକ ଦେଇଥିଲେ। ଏନେଇ ଉପେନ୍ଦ୍ର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ଉପେନ୍ଦ୍ର ଘରେ ଖାଉଥିବା ସମୟରେ ବାହାରେ ହୋହଲ୍ଲା ଶୁଣାଯାଇଥିଲା। ଉପେନ୍ଦ୍ର କବାଟ ଖୋଲି ବାହାରକୁ ବାହାରିବା ବେଳକୁ ଘର ସମ୍ମୁଖରେ ୨୦ରୁ ଉର୍ଦ୍ଧ୍ୱ ଯୁବକ ଠିଆ ହୋଇଛନ୍ତି। ହାତରେ ଠେଙ୍ଗା, ବଡ଼ି ଧରିଛନ୍ତି। ଯୁବକମାନେ ମଧ୍ୟ ଉପେନ୍ଦ୍ରକୁ ଦେଖି ଆକ୍ରମଣ ପାଇଁ ଦୌଡ଼ି ଆସିଥିଲେ। ଉପେନ୍ଦ୍ର ଜୀବନ ବିକଳରେ କବାଟ ବନ୍ଦ କରି ଘର ଭିତରକୁ ଚାଲିଆସିଥିଲେ। ଯୁବକମାନେ ଉପେନ୍ଦ୍ରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଘରୁ ବାହାରିଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଏମିତିକି ଘରଛାଡ଼ି ଚାଲିଯିବାକୁ ମଧ୍ୟ ଧମକ ଦେଇଥିଲେ। ଉପେନ୍ଦ୍ର ଭୟରେ ଘରୁ ବାହାରକୁ ବାହାରିବାକୁ ସାହସ କରିପାରି ନଥିଲେ। ଫଳରେ ଉତ୍ତ୍ୟକ୍ତ ଯୁବକମାନେ ଘର ବାହାରେ ଥିବା ଉପେନ୍ଦ୍ରଙ୍କ ବାଇକ୍‌କୁ ଜାଳି ଦେଇଥିଲେ। ଉପେନ୍ଦ୍ର ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ଯୁବକମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର