କୁକୁଡ଼ାକୁ ବସରେ ନେଇ ଯାତ୍ରା କରିବା ଯାତ୍ରୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ବସ କିମ୍ବା କୌଣସି ଗାଡ଼ିରେ ଯାତ୍ରା କଲେ ତାହାର ଭଡ଼ା ଦେବାକୁ ହୋଇଥାଏ। ନିକଟରେ ବସରେ ଏକ କୁକୁଡା ଯାତ୍ରା କରୁଥିବା ସମୟରେ କଣ୍ଡକ୍ଟର ଭଡ଼ା କାଟି ଦେଇଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ (ଟିଏସଆରଟିସି)ର ଏକ ବସ୍‌ରେ ଯାତ୍ରା କରିବା ପାଇଁ ଗୋଟିଏ କୁକୁଡ଼ା ଠାରୁ ୩୦ ଟଙ୍କା ଆଦାୟ କରାଯାଇଥିଲା। ଗତ ମଙ୍ଗଳବାର ଦିନ ତେଲେଙ୍ଗାନାର କରିମନଗର ଜିଲ୍ଲାରୁ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ଯାତ୍ରୀ ବସରେ କୁକୁଡ଼ାକୁ ନେଇ ଯାଉଥିବା ଟିଏସଆରଟିସି ବସ୍ କଣ୍ଡକ୍ଟର ଦେଖିଥିଲେ ସେ ଉକ୍ତ କୁକୁଡ଼ାର ଯାତ୍ରା ଭଡ଼ା ମାଗି ଟିକେଟ କାଟି ଦେଇଥିଲେ।

 

ବସ୍ କଣ୍ଡକ୍ଟର ଜି ତିରୁପତି ପେଦାପଲ୍ଲୀରୁ କରିମନଗର ପର୍ଯ୍ୟନ୍ତ ଯାତ୍ରା କରୁଥିବା ବସରେ ବସିଥିବା  ଯାତ୍ରୀ ମହମ୍ମଦ ଅଲିଙ୍କ ଠାରୁ କୁକୁଡ଼ା ପାଇଁ ୩୦ ଟଙ୍କା ଭଡ଼ା ନେଇଥିଲେ। କଣ୍ଡକ୍ଟର କହିଥିଲେ ଟିଏସଆରଟିସି ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଜୀବଜନ୍ତୁଙ୍କ ଉପରେ ଭଡ଼ା ଲାଗିଥାଏ। ମହମ୍ମଦ ଅଲି ପ୍ରଥମେ ଏହାକୁ ବିରୋଧ କରିଥିଲେ କିନ୍ତୁ ପରେ ସେ ରାଜି ହୋଇ କଣ୍ଡକ୍ଟର ଦାବି କରିଥିବା ଭଡ଼ା ଦେଇ ଦେଇଥିଲେ।

କଣ୍ଡକ୍ଟର ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟିଏସଆରଟିସି ଅଧିକାରୀମାନେ ଏହି ଘଟଣାର ଧ୍ୟାନ ଦେଇଥିଲେ।

ଟିଏସଆରଟିସି ଗୋଦାବରିଖାନି ଡିପୋ ମ୍ୟାନେଜର ଭି ଭେଙ୍କଟେଶମ୍ କହିଛନ୍ତି ଯେ କଣ୍ଡକ୍ଟର ଯାତ୍ରୀଙ୍କୁ କୁକୁଡ଼ା ସହିତ ଓହ୍ଲାଇବାକୁ କହିବା ଉଚିତ୍ ଥିଲା। କାରଣ ଟିଏସଆରଟିସି ନିୟମ ଅନୁଯାୟୀ ପଶୁମାନଙ୍କୁ ବସ୍‌ରେ ନେବାକୁ ଅନୁମତି ନାହିଁ । ଯାତ୍ରୀ ଏହାକୁ ଏକ କପଡା ତଳେ ଲୁଚାଇ ରଖିଥିବାରୁ କଣ୍ଡକ୍ଟର ହୁଏତ କୁକୁଡ଼ାକୁ ଲକ୍ଷ୍ୟ କରି ନଥିବେ। ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଯାତ୍ରୀଙ୍କଠାରୁ କୁକୁଡ଼ା ପାଇଁ ଭଡ଼ା ଆଦାୟ କରିଥିବାରୁ କଣ୍ଡକ୍ଟରଙ୍କଠାରୁ ସ୍ପଷ୍ଟୀକରଣ ନିଆଯିବ ବୋଲି ଅଧିକାରୀ କହିଛନ୍ତି।

 

 

 

ସମ୍ବନ୍ଧିତ ଖବର