ମହିଳା ଜଜ୍‌ଙ୍କୁ ଅପହରଣ ଉଦ୍ୟମ, କାର ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ଜଣେ ମହିଳା ବିଚାରପତିଙ୍କୁ ଅପହରଣ ଉଦ୍ୟମ ହୋଇଛି। ଏ ନେଇ ମହିଳା ବିଚାରପତି ପୁଲିସକୁ ତୁରନ୍ତ ଯୋଗାଯୋଗ କରିଥିଲେ। ପୁଲିସ ହସ୍ତକ୍ଷେପ କରି ଅଧବାଟରୁ ମହିଳା ଜଜ୍‌ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ କାର ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛି।ଏହି ଘଟଣା ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଦିଲ୍ଲୀ ହାଇକୋର୍ଟର ରେଜିଷ୍ଟ୍ରାର ଦୀନେଶ କୁମାର ଶର୍ମା କହିଛନ୍ତି ଯେ ମହିଳା ଜଜ୍‌ ଜଣକ କେନ୍ଦ୍ରୀୟ ଦିଲ୍ଲୀରୁ କର୍‌କାଦ୍ରୁମା କୋର୍ଟକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ତାଙ୍କ ଗାଡ଼ି ଡ୍ରାଇଭର ଗାଡ଼ିର ଗତିପଥ ଅନ୍ୟତ୍ର ବଦଳାଇବା ପରେ ଏହା ମହିଳା ଜଜ୍‌ ଜଣକ ଜାଣିପାରି ସତର୍କ ହୋଇ ଉଠିଥିଲେଏବଂ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ଏ ନେଇ ଗାଜିପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଗାଡ଼ି ସହିତ ଡ୍ରାଇଭର ରାଜୀବଙ୍କୁ ଗିରଫ କରାଯାଇଛି।
ମହିଳା ଜଜ୍‌ ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଡ୍ରାଇଭର ତାଙ୍କୁ କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ନେଇ ପୂର୍ବ ଦିଲ୍ଲୀର କର୍‌କାଦ୍ରୁମା କୋର୍ଟ ଯିବା ବଦଳରେ ଗାଡ଼ିକୁ ଉତ୍ତର ପ୍ରଦେଶର ହାପୁର ଅଭିମୁଖେ ନେଇଥିଲେ। ଗାଡ଼ି ଯମୁନା ନଦୀ ପାର ହେବା ପରେ ବୁଲାଣୀ ନେବା ବଦଳରେ ସିଧା ଉତ୍ତରପ୍ରଦେଶ ଆଡକୁ ଚାଲିଥିଲା।ଏଥିରେ ସେ ଡ୍ରାଇଭରଙ୍କୁ ଅଟକାଇବାକୁ କହିବାରୁ ଡ୍ରାଇଭର ତାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ। ଏଥିରେ ସେ ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ। କିଛି କିଲୋମିଟର ଯିବା ପରେ ଡ୍ରାଇଭର ୟୁ ଟର୍ଣ୍ଣ ନେଇ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥଲେ।ପୁଲିସ ତାଙ୍କ ମୋବାଇଲ ଫୋନକୁ ଟ୍ରାକ୍‌ କରି ଗାଜିପୁର ନିକଟରେ କାରକୁ ଅଟକାଇ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ଘଟଣାକୁ ଦିଲ୍ଲୀ ହାଇକୋର୍ଟ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି।ଜଜ୍‌ମାନଙ୍କ ସୁରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତଲ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଦିଲ୍ଲୀର ବିଭିନ୍ନ ତଳକୋର୍ଟର ଜଜ୍‌ମାନଙ୍କୁ ଦିଲ୍ଲୀ ସରକାର ଟ୍ୟାକ୍ସି ଯୋଗାଇ ଦେଇଛନ୍ତି। ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଜଜ୍‌ମାନଙ୍କୁ ଅଲଗା ଅଲଗା ଗାଡ଼ି ଯୋଗାଇ ଦେବାକୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଘଟଣା ସମ୍ପର୍କରେ ଡ୍ରାଇଭର କହିଛନ୍ତି ଯେ ସେ ଯମୁନା ନଦୀ ପରେ ବୁଲାଣୀ ନେବା ଭୂଲି ଯାଇ ସିଧା ଚାଲି ଯାଇଥିଲେ। ମାତ୍ର ବାଟରେ କୌଣସି ୟୁ ଟର୍ଣ୍ଣ ନ ମିଳିବାରୁ ସେ ଗଡ଼ି ଆଗକୁ ଚଳାଇଥିଲେ। ମାତ୍ର ଜଜ ଏ ନେଇ ପୁଲିସକୁ ଜଣାଇବାରୁ ସେ ଭୟଭୀତ ହୋଇପଡ଼ିଥିଲେ ଓ ଇନ୍ଦିରାପୁରମ ନିକଟରେ ୟୁ ଟର୍ଣ୍ଣ ନେଇ ଦିଲ୍ଲୀ ଆଡକୁ ଫେରିଥିଲେ।

ସମ୍ବନ୍ଧିତ ଖବର