ଅଭିଯୋଗ କଲେ ଡ୍ରାଇଭର୍‌, କାର୍ ଲୁଟ୍‌ ମାମଲା

ଖଣ୍ଡଗିରି: ଗୁରୁବାର ରାତିରେ ସ୍ଥାନୀୟ ଆମ୍ରି ହସ୍ପିଟାଲ ନିକଟରୁ ଦୁର୍ବୃତ୍ତମାନେ ଲୁଟି ନେଇଥିବା କାର୍ ଚାଳକ ଶୁକ୍ରବାର ସକାଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ୍‌ର ଶି‌କା‌ର ହୋଇଥିବା କାର୍ ଚାଳକ ହେଲେ, ଅନୁଗୋଳ ବିକ୍ରମପୁର ଥାନା ଅଞ୍ଚଳର ଅଜୟ କୁମାର ସାହୁ(୩୦)। ଅଜୟଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ରାତିରେ ସେ ଅନୁଗୋଳରୁ ଜଣେ ରୋଗୀଙ୍କୁ ନେଇ ଆମ୍ରି ହସ୍ପିଟାଲକୁ ଆସିଥିଲେ। ରୋଗୀଙ୍କୁ ହସ୍ପିଟାଲରେ ଛାଡ଼ି ବାହାରେ ଅପେକ୍ଷା କରିଥିଲେ। ଏହି ସମୟରେ ୪ଜଣ ଦୁର୍ବୃତ୍ତ ହଠାତ୍ କାର୍ ନିକଟକୁ ଆସି ଆଗ ଡୋର୍‌କୁ ପିଟି ଦେଇଥିଲେ। ଫଳରେ କାଚ ଭାଙ୍ଗି ଅଜୟଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିଲା। ଅଜୟ ଗାଡ଼ି ବାହାରକୁ ଆସିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍ ଗାଡ଼ି ଚାବି ଛଡ଼ାଇ ନେଇ ମାଡ଼ ମାରିଥିଲେ। କୌଣସିମ‌ତେ ଅଜୟ ସେମାନଙ୍କ କବଳରୁ ଖସି ଯାଇ ଅନ୍ଧାରରେ ଦୂରକୁ ଦୌଡ଼ି ପଳାଇଥିଲେ। ପରେ ପରେ ଦୁର୍ବୃତ୍ତମାନେ କାର୍ ନେଇ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର