୨ କାର୍‌ ଚୋର ସମେତ ୩ ଗିରଫ

ଭୁବନେଶ୍ୱର : ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ଚୋରା କାର୍‌ ବିକ୍ରିବେଳେ ମଞ୍ଚେଶ୍ୱର ଥାନା ପୁଲିସ ଓ କ୍ୟୁଏଟି ପୁଲିସ ମିଳିତ ଚଢ଼ଉ କରି ୨ଜଣ କାର୍‌ ଚୋର ସମତେ ୩ଜଣକୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ଇନୋଭା କାର୍‌ ଜବତ କରିଛି। ସେମାନେ ହେଲେ ଇନ୍‌ଫୋସିଟି ଥାନା ଅଧୀନ ଅଳସୁଆ ଅଞ୍ଚଳର ଦେବରାଜ ଭୋଇ(୩୯), ଆଇଆର୍‌ସି ଭିଲେଜ୍‌ ଅଞ୍ଚଳର ସୁରେଶ ସ୍ୱାଇଁ(୫୮) ଓ ମଞ୍ଚେଶ୍ୱର ଧୀରିକୁଟି ବସ୍ତିର ଗୋବିନ୍ଦ ସାହୁ(୨୮)। ସୁରେଶର ଘର କାକଟପୁର ଅଞ୍ଚଳ ହୋଇଥିବା ବେଳେ ଗୋବିନ୍ଦରର ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳ ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ସମୟରେ ଦେବରାଜ ଓ ସୁରେଶ ମିଶି ଧୀରିକୁଟି ବସ୍ତି ଯାଇଥିଲେ। ସେଠାରେ ସେମାନେ ଗୋବିନ୍ଦଙ୍କୁ ୫୦ ହଜାର ଟଙ୍କାରେ ଏକ କାର୍‌ ବିକ୍ରି କରିଥିଲେ। ଏହାପରେ ତିନି ଜଣ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ନିରୋଳା ସ୍ଥାନରେ ବନ୍ଧୁକ ବେପାର ପାଇଁ କଥାବାର୍ତା କରୁଥିବା କୁଇକ୍‌ ଆକସନ୍‌ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ତେଣୁ କ୍ୟୁଏଟି ତୁରନ୍ତ ମଞ୍ଚେଶ୍ୱର ଥାନା ପୁଲିସକୁ ଘଟଣା ବିଷୟରେ ଜଣାଇଥିଲା। ଏହାପରେ ଉଭୟ ପୁଲିସ ମିଳିତ ଭାବେ ଚଢ଼ଉ କରି ସେଠାରୁ ୩ଜଣଙ୍କୁ ଗିରଫ କରିବା ସହ କାର୍‌ ଜବତ କରିଥିଲେ। କାଗଜପତ୍ର ଯାଞ୍ଚ ପରେ ଏହା ଏକ ଚୋରା କାର୍‌ ବୋଲି ପୁଲିସ ଜାଣିବାକୁ ପାଇଥିଲା। ହେଲେ ସେମାନଙ୍କଠାରୁ କୌଣସି ବନ୍ଧୁକ ଜବତ ହୋଇନଥିଲା। ପୁଲିସ ୩ଜଣଙ୍କୁ ଥାନାରେ ପଚାରଉଚରା କରିବା ପରେ ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ବାପି ବିଷୟରେ ଜାଣିବାକୁ ପାଇଥିଲା। ଗୁରୁବାର ସକାଳୁ ଉଭୟ ପୁଲିସର ଟିମ୍‌ ମିଳତ ଭାବେ ଚନ୍ଦକା ପ୍ରଧାନସାହି ସ୍ଥିତ ବାପି ଘରେ ଚଢ଼ଉ କରିଥିଲା। ହେଲେ ବାପି ଚତୁରତାର ସହ ଛାତ ଉପରୁ ଡେଇଁ ଫେରାର୍‌ ହୋଇଯାଇଥିଲା। ପୁଲିସ ଆଜି ଏକ ମାମଲା ରୁଜୁ କରି ୩ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ବାପିକୁ ଗିରଫ କରିବା ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର