ଖଣ୍ଡଗିରି : ଅଭିନବ ଉପାୟରେ ଆଖିରେ ଆଙ୍ଗୁଠି ଗେଞ୍ଜି କାର୍ ଚୋରି କରୁଥିବା ଜଣେ ଯୁବକକୁ ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା କରିଲୋପାଟଣା ଗାଁର ଦୀପ୍ତିରଞ୍ଜନ ମହାନ୍ତି ଓରଫ୍ ବିପ୍ଳବ(୩୨)। ପୁଲିସ ତା’ ନିକଟରୁ ଚୋରି କାର୍ ଜବତ କରିଛି।
ପୁଲିସ ସୂଚନାନୁସାରେ ଅଭିଯୁକ୍ତ ବିପ୍ଳବ ସାଇ ସିନେ ପ୍ରଡକ୍ସନର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ଜୟଦେବିବହାରରେ ରହୁଥିବା ଦେବାଶିଷ ମିଶ୍ରଙ୍କୁ ଫସାଇଥିଲା। ଶ୍ରୀ ମିଶ୍ରଙ୍କ ସାନ ଭଉଣୀକୁ ଚଳଚ୍ଚିତ୍ରରେ ସୁଯୋଗ ଦେବାକୁ କହି ସେ ଗତ ଜୁନ୍ ମାସ ୧୮ ତାରିଖରେ ଅଡିସନ୍ ପାଇଁ ଖଣ୍ଡଗିରି ଶ୍ୟାମପୁର ଅଞ୍ଚଳକୁ ଡକାଇଥିଲା। ନିଜ କାର୍ରେ ସାନ ଭଉଣୀକୁ ଧରି ଶ୍ରୀ ମିଶ୍ର ଶ୍ୟାମପୁର ନିକଟକୁ ଆସିଥିଲେ। ଅଡିସନ୍ ପାଇଁ ଅପେକ୍ଷା କରିବାକୁ କହି ବିପ୍ଳବ ଶ୍ରୀ ମିଶ୍ରଙ୍କୁ କାର୍ ଚାବି ମାଗିଥିଲା। ବିଶ୍ୱାସ କରି ଶ୍ରୀ ମିଶ୍ର ତାକୁ କାର୍ ଚାବି ବଢ଼ାଇ ଦେଇଥିଲେ। ଅଡିସନ୍ ସଂକ୍ରାନ୍ତୀୟ ଏକ ଜରୁରି କାମ ସାରି ଖଣ୍ଡଗିରି ଛକରୁ ଆସୁଛି କହି ସେ କାର୍ ନେଇ ପାର୍ ହୋଇ ଯାଇଥିଲା।
ବହୁ ସମୟ ବିତିବା ପରେ ବି ବିପ୍ଳବର ଦେଖା ନ ପାଇ ଶ୍ରୀ ମିଶ୍ର କାନମୁଣ୍ଡା ଆଉଁସି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଧୂର୍ତ ବିପ୍ଳବ ରାଜଧାନୀ ଛାଡ଼ି ପଳାଇଥିଲା। ଦୀର୍ଘ ୬ ମାସ ପରେ ସେ ପୁଣି ରାଜଧାନୀକୁ ଆସିଥିଲା। ଗତ ମଙ୍ଗଳବାର ଦିନ ସେ ଶିରିପୁର ଛକରେ ଥିବା ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ଚଢ଼ାଉ କରି କାର୍ ସହ ବିପ୍ଳବକୁ ଧରିଥିଲା। ପୂର୍ବରୁ ବିପ୍ଳବ ସହିଦନଗର ଥାନା ପୁଲିସ ହାତରେ ଏମିତି ଏକ କାର ଚୋରି ମାମଲାରେ ଗିରଫ ହୋଇଥିଲା। ବଡ଼ କଥା ହେଉଛି ନିଜକୁ ବିପ୍ଳବ ବୋଲି କହୁଥିଲେ ବି ସେଇଟି ତା’ର ଛଦ୍ମନାମ ବୋଲି ପୁଲିସ ସୂଚନା ଦେଇଛି।