ଖଣ୍ଡଗିରି : ବୁଧବାର ଅପରାହ୍ଣରେ ଚନ୍ଦକା ଥାନା ପୁଲିସ ସ୍ଥାନୀୟ ଶିମିଳିପାଟଣା ନିକଟରୁ ଏକ ଦେଶୀ ମଦ ଭର୍ତି କାର୍ ଜବତ କରିଛି। କାର୍ରୁ ୫ ଶହ ଲିଟର ଦେଶୀ ମଦ ଜବତ କରାଯାଇଛି। କିନ୍ତୁ ପୁଲିସ ଚଢ଼ଉ ପୂର୍ବରୁ କାର୍ ଚାଳକ ଓ ଅନ୍ୟମାନେ ଚମ୍ପଟ୍ ମାରିବାରେ ସଫଳ ହୋଇଛନ୍ତି। ମଦ ମାଫିଆମାନଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।
ପୁଲିସ ସୂଚନାନୁସାରେ ବୁଧବାର ଅପରାହ୍ଣ ପ୍ରାୟ ୪ଟାବେଳେ ଏକ ମଦ ଭର୍ତି କାର୍ ଶିମିଳିପାଟଣା ନିକଟ ବିଛୁଆଣିଠାରେ ଅପେକ୍ଷା କରିଥିବା ଖବର ମିଳିଥିଲା। ତୁରନ୍ତ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳକୁ ଛୁଟି ଥିଲା। କିନ୍ତୁ ପୁଲିସ ଆସିବା ଖବର ପାଇ ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। କାର୍ ଭିତରୁ ୧୪ଟି ବ୍ଲାଡର୍ ମିଳିଥିଲା। ସେଥିରେ ପ୍ରାୟ ୫ ଶହ ଲିଟର ଦେଶୀ ମଦ ଥିଲା। କାର୍ ନମ୍ବରକୁ ନେଇ ପୁଲିସ ଖୋଳତାଡ୍ ଆରମ୍ଭ କରିଛି। କାର୍ଟି ସ୍ଥାନୀୟ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ ସୂଚନା ଦେଇଛି। ଆଠଗଡ଼ରୁ ମାଲ୍ ନେଇ ଆସିଥିବା ଅନ୍ୟ ଏକ ଗାଡ଼ି ଏଠାରେ ମାଫିଆମାନଙ୍କୁ ମାଲ୍ ହସ୍ତାନ୍ତର କରିବା ପରେ ପଳାଇଛି ଓ ଏହି ଗାଡ଼ିରେ ମାଲ୍ ଅନ୍ୟତ୍ର ପରିବହନ ହୋଇଥାଆନ୍ତା ବୋଲି ସୂଚନା ମିଳିଛି। ଆଠଗଡ଼ ଅଞ୍ଚଳରୁ ଚୋରାରେ ଆମଦାନୀ ହେଉଥିବା ଏହି ମଦ ଚନ୍ଦକା ଦେଇ କଣ୍ଟାବାଡ଼, ମେଣ୍ଢାଶାଳ, ଛତାବର ଓ ଖୋର୍ଧା ଜଟଣୀକୁ ଯାଇଥାଆନ୍ତା। ଏହି ମାଫିଆମାନଙ୍କ ବେପାର ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳ ପର୍ଯ୍ୟନ୍ତ ମାଡ଼ିଛି ବୋଲି ଜଣାପଡ଼ିଛି। ଆଠଗଡ଼ ଓ ମୁଣ୍ଡଳୀ ଜଙ୍ଗଲରେ ଚାଲିଥିବା ଗୁପ୍ତ ମଦ କାରଖାନରୁ ଏହି ଅଞ୍ଚଳର ମଦ ମାଫିଆମାନେ ମଦ ଚାଲାଣ କରୁଥିବା ସ୍ପଷ୍ଟ ହୋଇଛି।