ବିଶ୍ବାସରେ ବିଷ : ଦିବ୍ୟାଙ୍ଗଙ୍କ ୧.୩ ଲକ୍ଷ ହଡ଼ପ କରି କେୟାରଟେକର ଗିରଫ

ଖଣ୍ଡଗିରି : ଜଣେ ଦିବ୍ୟାଙ୍ଗ ମାଲିକଙ୍କ ବିଶ୍ବାସରେ ବିଷ ଦେଇ ଆକାଉଣ୍ଟରୁ ଏକ ଲକ୍ଷ ୩ ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ସୋମବାର ଅଭିଯୁକ୍ତ ପରିଚାରକକୁ ଗିରଫ କରିଛି। ସେ ହେଲା ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଜରଡ଼ାପାରି ଗାଁର ପ୍ରମୋଦ କୁମାର ନନ୍ଦ(୫୦)। ଦୀର୍ଘ ୬ ମାସ ଲୁଚକାଳି ଖେଳିବା ପରେ ପୁଲିସ ଗତକାଲି ରାତିରେ ତାକୁ ତା’ ଗାଁରୁ ଗିରଫ କରିବାରେ ସକ୍ଷମ ହୋଇଛି।

ସୂଚନାନୁସାରେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରେ ରହୁଥିବା ସନ୍ଦୀପ ଆଚାର୍ଯ୍ୟ ଜଣେ ଦିବ୍ୟାଙ୍ଗ ଯୁବକ। ଅଭିଯୁକ୍ତ ପ୍ରମୋଦ ତାଙ୍କ ପାଖରେ କେୟାରଟେକର ଭାବେ କାମ କରୁଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ସନ୍ଦୀପ ନିଜ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ସେ ‌ପ୍ରମୋଦକୁ ନିଜ ଏଟିମଏ୍ କାର୍ଡ ଦେଇଥିଲେ ଓ ଆବଶ୍ୟକ ସମୟରେ ସେ ଟଙ୍କା ଉଠାଉଥିଲା। ସନ୍ଦୀପ ହସ୍ପିଟାଲରୁ ଅକ୍ଟୋବର ମାସ ୧୦ ତାରିଖରେ ଡିସ୍‌ଚାର୍ଜ ହୋଇଥିଲେ। ପରଦିନ ସନ୍ଦୀପଙ୍କ ଆକାଉଣ୍ଟରୁ ୧ ଲକ୍ଷ ୩ ହଜାର ଟଙ୍କା ଉଠି ଯାଇଥିଲା ଓ ପ୍ରମୋଦ ହଠାତ୍ ଗାଏବ୍ ହୋଇଯାଇଥିଲା। ପ୍ର‌ମୋଦକୁ ନ ପାଇ ସନ୍ଦୀପ ୧୨ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୂଚନାନୁସାରେ ଅଭିଯୁକ୍ତ ପ୍ରମୋଦ ବେଶ୍ ଧୂର୍ତ୍ତ ଓ ରାଜଧାନୀରେ ସେ କେୟାରଟେକର ଭାବେ କାମ କରି ବହୁ ଲୋକଙ୍କୁ ଠକିଛି।

ସମ୍ବନ୍ଧିତ ଖବର