ଅବଦୁର ରହେମାନ ବିରୋଧରେ ବିଚାରାଧୀନ ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ

କଟକ: ଉଗ୍ରବାଦୀ ସଂଗଠନ ‘ଅଲ୍‌ କଏଦା’ର ସଦସ୍ୟ କୁହାଯାଉଥିବା ଅବଦୁର୍‌ ରହେମାନ୍‌ ବିରୋଧରେ ବିଚାରାଧୀନ ମାମଲାରେ ଆଜି ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ଜିଲ୍ଲା ଓ ଦୌରା ଜଜ୍‌ ସତ୍ୟ ନାରାୟଣ ମିଶ୍ରଙ୍କ ଇଜିଲାସରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ୍‌ ପକ୍ଷରୁ ପଥମ ସାକ୍ଷୀ ଭାବେ ଜଗତପୁର ଗୁଜରପୁର ଅଞ୍ଚଳର ସଲିମ ଖାନ୍‌ ଓରଫ ରମଜାନୀ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ ରହେମାନକୁ ହାଜର କରାଯାଇଥିବା ବେଳେ ରମଜାନୀ ତାଙ୍କୁ ଚିହ୍ନିଛନ୍ତି ବୋଲି କହିଥିଲେ। ନିଜ ବୟାନରେ ସେ ଦର୍ଶାଇଥିଲେ ଯେ ରହେମାନ ଅନ୍ୟ କେତେକ ମୁସଲମାନ ସଂପ୍ରଦାୟ ଲୋକଙ୍କ ସହ ମିଶି ମଦ୍ରାସା ଚଳାଉଥିଲେ। ମଦ୍ରାସାରେ ରହେମାନ ମୁଖ୍ୟ ନିର୍ବାହୀ ଭାବେ କାର୍ଯ୍ୟ କରୁଥିଲା। ମଦ୍ରାସାରେ ଇସଲାମ ଧର୍ମ ସଂପର୍କରେ ଶିକ୍ଷା ଦିଆଯାଉଥିଲା। ସେଠାରେ ବାହାର ରାଜ୍ୟରୁ ପିଲାମାନଙ୍କୁ ଅଣାଯାଇ ମାଗଣାରେ ଶିକ୍ଷା ପ୍ରଦାନ କରାଯାଉଥିଲା। ପିଲାମାନଙ୍କ ରହିବା ଓ ପାଠପଢିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ନିକଟରୁ ମିଳୁଥିବା ଦାନ ଟଙ୍କା ରହେମାନ ଗ୍ରହଣ କରୁଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଡିସେମ୍ବର ୧୮ତାରିଖ ଧାର୍ଯ୍ୟ କରାଯାଇଛି। ସେଦିନ ଅନ୍ୟ ସାକ୍ଷୀଙ୍କୁ ହାଜର ହେବା ପାଇଁ ସମନ୍‌ ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର