ସୋନି ନେଟ୍‌ଓ୍ଵାର୍କ ଚୋରାଇ ପ୍ରସାରଣ କରିବା ଅଭିଯୋଗ

ଓର୍‌ଟେଲ୍‌ ବିରୋଧରେ ଥାନାରେ ମାମଲା

ଚନ୍ଦ୍ରଶେଖରପୁର: ଓର୍‌ଟେଲ୍‌ କମ୍ୟୁନିକେସନ୍‌ ବିରୋଧରେ ଆଜି ରାତି ପ୍ରାୟ ୯ଟା ବେଳେ ଚନ୍ଦ୍ରଶେଖରପୁର ଥାନାରେ ପ୍ରସାରଣ ଚୋରି ଅଭିଯୋଗ ହୋଇଛି। ସୋନି ନେଟ୍‌ଓ୍ଵାର୍କ ପକ୍ଷରୁ ଏହି ଲିଖିତ ଅଭିଯୋଗ କରିଛନ୍ତି ସୋନି ବ୍ରଡ୍‌କାଷ୍ଟ ପ୍ରଚାର ପ୍ରସାର ମୁଖ୍ୟ ଶିବପ୍ରସାଦ ଦତ୍ତା ଓ ସହଯୋଗୀ ପ୍ରଦୀପ ଭଦ୍ରା। ଅଭିଯୋଗ ଅନୁଯାୟୀ ଓର୍‌ଟେଲ୍‌ର ବିଭିନ୍ନ ପ୍ରସାରଣ ଶାଖା ଯଥା ଓରଟେଲ୍‌ କେବୁଲ୍‌, ଓରଟେଲ୍‌ ବ୍ରଡ୍‌ବ୍ୟାଣ୍ଡ ବ୍ରଡକାଷ୍ଟ, ଓରଟେଲ୍‌ କେବୁଲ୍‌ ଟିଭି, ଓରଟେଲ୍‌ ଡିଜିଟାଲ ଟିଭିରେ ପ୍ରସାରିତ ହେଉଥିବା ସୋନିର ବିଭିନ୍ନ ଚ୍ୟାନେଲ୍‌ ଗତ ମାର୍ଚ୍ଚଠାରୁ ଚୁକ୍ତି ଶେଷ ହୋଇଛି। ହେଲେ ଓରଟେଲ୍‌ କର୍ତୃପକ୍ଷ କୌଶଳ କରି ସୋନିର ସମସ୍ତ ଚ୍ୟାନେଲ୍‌ ଗତ ୪ ମାସ ହେବ ବିନା କୌଣସି ଅନୁମତିପତ୍ରରେ ଓର୍‌ଟେଲ୍‌ରେ ଦେଖାଇ ଚାଲିଛନ୍ତି। ଯାହାକୁ ନେଇ ପ୍ରାୟ ୨୦ କୋଟି ଟଙ୍କା କ୍ଷତି ସହିଛି ସୋନି। ଚୁକ୍ତି ଶେଷ ହେବା ପରେ ସୋନି ପକ୍ଷରୁ ଓରଟେଲ୍‌କୁ ପୁନଃ ଚୁକ୍ତି କରିବା ଓ ଦେୟ ପଇଠ କରିବା ନେଇ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ଓର୍‌ଟେଲ୍‌ ତାହାକୁ ଖାତିର ନକରି ଅହରହ ସାଟେଲାଇଟ୍‌ ଚୋରି କରି ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀ ଦତ୍ତା ଥାନାରେ ପ୍ରମାଣ ଦାଖଲ କରିଛନ୍ତି। କୌଣସିମତେ ଖବର ପାଇ ଆଜି ସୋନିର ଏକ ସ୍ୱତନ୍ତ୍ର ଦଳ କୋଲକାତାରୁ ଭୁବନେଶ୍ୱର ପହଞ୍ଚି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପ୍ରତି ଉତ୍ତରରେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ର ଅଭିଯୋଗପତ୍ରକୁ ଗ୍ରହଣ କରି ଏନେଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର