ବୈଜୟନ୍ତ, ଅଭିଜିତ ଓ ଆରତିଙ୍କ ନାମରେ କୋର୍ଟରେ ମାମଲା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, କୋଣାର୍କ ମନ୍ଦିର ଓ ଓଡ଼ିଶାବାସୀଙ୍କ ସମ୍ପର୍କରେ ଅପଶବ୍ଦ ଏବଂ କଟୁ ମନ୍ତବ୍ୟ ପ୍ରୟୋଗ କରି ସାଢ଼େ ୪କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଜିତ ଆୟାର୍‌ ମିତ୍ରଙ୍କ ନାଁରେ ଆଜି ଭୁବନେଶ୍ୱର ସବ୍‌ ଡିଭିଜିନାଲ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ଆଇନୀଜୀବ ଲଲାଟେନ୍ଦୁ ଦାସ ଏହି ମାମଲା ରୁଜୁ କରିଛନ୍ତି। ଏଥିସହିତ ସେ ବୈଜୟନ୍ତ ପଣ୍ଡା ଓ ଆରତି ଟିକୁ ସିଂଙ୍କ ନାଁରେ ମଧ୍ୟ ଏହି ମାମଲା ରୁଜୁ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ଗତ ୧୮ ତାରିଖରେ ବୈଜୟନ୍ତଙ୍କ ବନ୍ଧୁ ଆୟାର ଓ ଆରତି ସୋସିଆଲ୍‌ ମିଡିଆରେ ଶ୍ରୀଜଗନ୍ନାଥ, କୋଣାର୍କର କାରୁକାର୍ଯ୍ୟ ଓ ଓଡ଼ିଶାବାସୀଙ୍କ ସମ୍ପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ। ଆୟାରଙ୍କ ଏହି ମନ୍ତବ୍ୟ ଓଡ଼ିଶାବାସୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ୍‌ଜୀବୀ ଶ୍ରୀ ଦାସ କୋର୍ଟରେ ନିବେଦନ କରିଛନ୍ତି। ସେହିପରି ଆୟାରଙ୍କ ବିରୋଧରେ ସହିଦନଗର ଥାନାରେ କେସ୍‌ ନଂ-୪୩୨/୧୮ରେ ଆଇପିସି ଦଫା ୨୯୪,୨୯୫(ଏ), ୫୦୦, ୧୫୩(ଏ) ଏବଂ ଆଇଟି ଆକ୍ଟ ୬୭ରେ ଏକ ମାମଲା ରୁଜୁ ହୋଛି। ଏନେଇ ମନୋରଞ୍ଜନ ସ୍ୱାଇଁ ନାମକ ଜଣେ ଛାତ୍ର ଆୟାରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର