ପୁଣି ଥରେ କାଷ୍ଟିଙ୍ଗ କାଉଚ୍ର ଶିକାର ହେଲେ ମହିଳା, ଅଭିଯୋଗ ପରେ ଫିଲ୍ମ ନିର୍ମାତାଙ୍କୁ ଗିରଫ କଲା ପୁଲିସ
କୋଲକାତା: ଏଭଳି ଖବର ଆଗରୁ ଅନେକ ଥର ଆସି ସାରିଛି । ଏଇ କିଛି ଦିନ ମଧ୍ୟରେ କାଷ୍ଟିଙ୍ଗ୍ କାଉଚ୍କୁ ନେଇ ଅନେକ ଅଭିନେତ୍ରୀ ମୁହଁ ଖୋଲିଥିଲେ ମଧ୍ୟ ଏହି ସମସ୍ୟା ଦୂର ହେବାର ନାଁ ନେଉ ନାହିଁ । ପଶ୍ଚିମବଙ୍ଗରେ ପୁଣି ଏକ କାଷ୍ଟିଙ୍ଗ କାଉଚ୍ର ମାମଲା ସାମ୍ନାକୁ ଆସିଛି । ଜଣେ ଫିଲ୍ମ ନିର୍ମାତା ଜନୈକା ମହିଳାଙ୍କୁ ନିଜ ଫିଲ୍ମରେ ହିରୋଇନ୍ କରିବା ପାଇଁ ତାଙ୍କ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କୋଲକାତାର ଅର୍ଣ୍ଣବ ରାୟ ନାମକ ଜଣେ ଫିଲ୍ମ ନିର୍ମାତା ପୀଡ଼ିତାଙ୍କୁ ହିରୋଇନ୍ କରିବା ପାଇଁ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅର୍ଣ୍ଣବ ରାୟଙ୍କ ପୁଅ ଏବଂ ପୀଡ଼ିତାଙ୍କ ଝିଅ ଗୋଟେ ସ୍କୁଲରେ ପଢ଼ୁଥିବା ହେତୁ ପୀଡ଼ିତା ଅର୍ଣ୍ଣବଙ୍କ ସଂସ୍ପର୍ଶରେ ଆସିଥିଲେ । କିଛି ଦିନ କଥା ହେବା ପରେ ତାଙ୍କୁ ଫିଲ୍ମରେ ହିରୋଇନ୍ କରିବାର ଅଫର ଦେଇଥିଲେ ଅର୍ଣ୍ଣବ । ପୀଡ଼ିତା ରାଜି ହେବା ପରେ ହିରୋଇନ୍ କରିବାର ଲୋଭ ଦେଖାଇ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ଅର୍ଣ୍ଣବ । ଏଥି ପାଇଁ ସେ ମନା କରିବାରୁ ତାଙ୍କ ସହ ଜୋର ଜବରଦସ୍ତ କରିବା ପାଇଁ ସେ ଚେଷ୍ଟା ମଧ୍ୟ କରିଥିଲେ । ଶେଷରେ ଅନ୍ୟ କିଛି ବାଟ ନ ପାଇ ପୀଡ଼ିତା ପୁଲିସର ସାହାରା ନେଇଥିଲେ । ଏତଲା ପାଇଁ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।