ମୁମ୍ବାଇ: ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ୍କୁ ନେଇ ପୂର୍ବରୁ ଅନେକ ବିବାଦ ହୋଇ ସାରିଛି । ବଲିଉଡ୍ ହେଉ କି ଅନ୍ୟ କୌଣସି ଇଣ୍ଡଷ୍ଟ୍ରି ସବୁଠି ଯୁବତୀମାନଙ୍କୁ ଅଭିନୟ କରିବା ପାଇଁ କାଷ୍ଟିଙ୍ଗ କାଉଚ୍ର ସାମ୍ନା କରିବାକୁ ପଡ଼ିଥାଏ । କାଷ୍ଟିଙ୍ଗ କାଉଚ୍କୁ ନେଇ ପୂର୍ବରୁ ଅନେକ ଅଭିନେତ୍ରୀ ଅଭିଯୋଗ ଆଣିଥିବା ବେଳେ ଏବେ ସେଭଳି ଏକ ଘଟଣାରେ ଜଣେ କାଷ୍ଟିଙ୍ଗ ଡିରେକ୍ଟରକୁ ଉଚିତ୍ ଦଣ୍ଡ ଦେଇଛନ୍ତି ମୁମ୍ବାଇର ସେସନ କୋର୍ଟ ।
ସୂଚନା ମୁତାବକ, କାଷ୍ଟିଙ୍ଗ ଡ଼ିରେକ୍ଟର ରବିନ୍ଦ୍ରନାଥ ଘୋଷ ୨୦୧୧ରେ ପୀଡ଼ିତାଙ୍କୁ ଦେଖା ହୋଇ ତାଙ୍କୁ ଅଭିନୟ କରିବାର ସୁଯୋଗ ଦେବେ ବୋଲି କହିଥିଲେ । ପୀଡ଼ିତା ହଁ କରିବା ପରେ ରବିନ୍ଦ୍ର ତାଙ୍କୁ ଟେଲି ଧାରାବାହିକରେ ସୁଯୋଗ ଦେବେ ବୋଲି କହିଥିଲେ । କିନ୍ତୁ ଏଥି ପାଇଁ ତାଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼ିବ ବୋଲି ରବିନ୍ଦ୍ର କହିବା ପରେ ପୀଡ଼ିତା ରାଗରେ ସେଠାରୁ ଚାଲି ଆସିଥିଲେ । ଦୁଇ ସପ୍ତାହ ପର୍ଯ୍ୟନ୍ତ କଥା ହେବା ବନ୍ଦ କରିବା ସହ ଦୁଇ ସପ୍ତାହ ପରେ ପୀଡ଼ିତା ଫୋନ ଉଠାଇବାରୁ ମୁଁ ତୁମକୁ କ୍ଷମା ମାଗିବାକୁ ଚାହୁଁଛି ବୋଲି କହି ତାଙ୍କୁ ଦେଖା କରିବାକୁ ଡ଼କାଇଥିଲେ ରବିନ୍ଦ୍ର । ପୀଡ଼ିତା ଫେବ୍ରୁଆରି ୨୦୧୨ରେ ଏକ ହୋଟେଲରେ ରବିନ୍ଦ୍ରଙ୍କୁ ଦେଖା କରିଥିବା ବେଳେ ରବିନ୍ଦ୍ର ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କର ଅଶ୍ଲୀଳ ଫଟୋ ଉଠାଇଥିଲେ । ଏହି ଫଟୋ ସ୍ୱାମୀଙ୍କୁ ପଠାଇବାର ଧମକ ଦେଇ ରବିନ୍ଦ୍ର ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ପୀଡ଼ିତା ମୁମ୍ବାଇ ଛାଡ଼ି ସ୍ୱାମୀଙ୍କ ପାଖକୁ ଦିଲ୍ଲୀ ଚାଲି ଯାଇଥିବା ବେଳେ ଡ଼ିସେମ୍ବର ୨୦୧୨ରେ ପୁଣି ମୁମ୍ବାଇ ଫେରିଥିଲେ ।
ପୁଣି ଫେରିଥିବା ଜାଣି ସବୁ ସଂପର୍କ ଭାଙ୍ଗିବା ସହ ଫଟୋ ହଟାଇବା ପାଇଁ ପୀଡ଼ିତାଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିଲେ ରବିନ୍ଦ୍ର । ବାରମ୍ବାର ରବିନ୍ଦ୍ର ଏପରି କରୁଥିବାରୁ ପୀଡ଼ିତା ପୁଲିସରେ ଅଭିଯୋଗ କରି ରବିନ୍ଦ୍ରଙ୍କୁ ଗିରଫ କରାଇଥିଲେ । କିନ୍ତୁ ଗିରଫ ହେବା ପରେ ମଧ୍ୟ ସେ ଚିଠି ଲେଖି ପୀଡ଼ିତାଙ୍କୁ ଧମକ ଦେବା ସହ ତାଙ୍କ ସ୍ୱାମୀ ଏବଂ ଅଫିସ୍ର ମୁଖ୍ୟଙ୍କୁ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ପଠାଇ ଦେଇଥିଲେ । ଯାହା ପରେ ପୀଡ଼ିତାଙ୍କ ସ୍ୱାମୀ ତାଙ୍କୁ ଏବଂ ନବଜାତକୁ ଘରୁ ବାହାର କରି ଦେଇଥିଲେ । ଜେଲ୍ ଭିତରେ ରହି ଏଭଳି ଅପରାଧ କରିଥିବାରୁ ମୁମ୍ବାଇର ସେସେନ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିବା ସୂଚନା ମିଳିଛି ।