ଧରାପଡ଼ିଲେ ୭ ଚୋରା ବନ୍ଧୁକ ବେପାରୀ

ବଲେରୋ, ଟୟୋଟା କାର, ବାଇକ, ୯ ମୋବାଇଲ ଜବତ

ଧଉଳି: ବନ୍ଧୁକ ବିକ୍ରି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ଧଉଳି ଥାନା ପୁଲିସ ଓ ଏସ୍‌ଟିଏଫ୍‌ର ମିଳିତ ଟିମ୍‌। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ରନେତା ଥିବା ଜଣାପଡ଼ିଛି। ଗୁରୁବାର ରାତି ପ୍ରାୟ ୧୧ଟାରେ ଏହି ଗ୍ୟାଙ୍ଗ ଗଙ୍ଗୁଆ ବ୍ରିଜ୍‌ ନିକଟରେ ବନ୍ଧୁକ ବିକ୍ରି ପାଇଁ ମୂଲଚାଲ କରୁଥିଲେ। ସାଦା ପୋଷାକରେ ଗ୍ରାହକ ସାଜି କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରି ଧଉଳି ଥାନା ପୁଲିସକୁ ହସ୍ତାନ୍ତର କରିଛି। ସେମାନଙ୍କ ବିରୋଧରେ କେସ୍‌ ନଂ ୩୯୯/୧୯ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଗ୍ୟାଙ୍ଗ୍‌ର ସଦସ୍ୟମାନେ ହେଲେ ନୂଆଗାଁର ଚିନୁ ଓରଫ ଚିନ୍ମୟ ବଡ଼ଜେନା (୩୬), ରବୀନ୍ଦ୍ର ବରାଳ(୩୬), ବିଶ୍ବଜିତ ବରାଳ(୩୩), ଜଙ୍କିଆର ସନ୍ତୋଷ ରାଉତ(୩୨), ଜଟଣୀର ବୁବୁ ବାରିକ, ମନୋଜ କାଣ୍ଡି ଓ ନିରାକାରପୁରର ପ୍ରକାଶ ବେହେରା। ଆଇଆଇସି ଆଲୋକ ଜେନା ବି ଚଢ଼ଉ ବେଳେ ସାମିଲ ଥିଲେ। ସାଦା ପୋଷାକରେ ଥିବା ଦୁଇ ଗ୍ରାହକ ପୁଲିସ ବୋଲି ଜାଣିବା ପରେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ ହେଁ ଏସ୍‌ଟିଏଫ୍‌ ଟିମ୍‌ ପହଞ୍ଚି ସେମାନଙ୍କୁ କାବୁ କରି ନେଇଥିଲେ। ତେବେ ଘଟଣାସ୍ଥଳରେ ଏସ୍‌ଟିଏଫ ଟିମ୍‌ ସହିତ ସେମାନଙ୍କର କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଗ୍ୟାଙ୍ଗର ଅନ୍ୟ ଜଣେ ଦୁଇଜଣ ସହଯୋଗୀ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ। ତେବେ ପୁଲିସ ଘଟଣାସ୍ଥଳରୁ ଗୋଟିଏ ବଲେରୋ, ଟୟୋଟା କାର, ଗୋଟିଏ ବାଇକ ଓ ୯ଟି ମୋବାଇଲ ଫୋନ୍‌ ଜବତ କରିଛି। ବନ୍ଧୁକ ଠିକ୍‌ ଅଛିକି କି ନାହିଁ ଜାଣିବା ପାଇଁ ସେମାନେ ଫାଙ୍କା ଗୁଳିଚାଳନା କରିଥିଲେ। ପୁଲିସ ସେଠାରୁ ଖୋକା ଓ ଖୋଳ ବି ଜବତ କରିଛି। ହେଲେ ମାଉଜର୍‌ଟିକୁ କିନ୍ତୁ ଜବତ କରିପାରିନି।

ଫାଙ୍କା ଗୁଳିଚାଳନା, ଖୋକା ଜବତ
ଜବତ ହୋଇ ପାରିନି ମାଉଜର
ପୂର୍ବତନ ଛାତ୍ରନେତା ମାଷ୍ଟର ମାଇଣ୍ଡ୍‌

ମାଷ୍ଟରମାଇଣ୍ଡ୍‌ ନାଁରେ ୧୪ରୁ ଅଧିକ ମାମଲା
ଧଉଳି ଥାନାର ଜଣେ ଅଧିକାରୀଙ୍କ ସୂଚନାନୁଯାୟୀ ପୂର୍ବତନ ଛାତ୍ରନେତା ଚିନୁ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ। ତା’ ନାମରେ ୧୪ରୁ ଅଧିକ ମାମଲା ରହିଛି। ସର୍ବସାଧାରଣ ସ୍ଥାନରେ ବନ୍ଧୁକ ଦେଖାଇ ଓ ଗୁଳି ଫୁଟାଇବା ନେଇ ଧଉଳି ଥାନାରେ ମାମଲା ହୋଇଥିଲା। ଚିନୁ ଓ ନୂଆଗାଁର ରବୀନ୍ଦ୍ର, ବିଶ୍ବଜିତଙ୍କ ସହିତ ଗ୍ୟାଙ୍ଗର ଅନ୍ୟମାନେ ଯୋଗସୂତ୍ର ରଖି ଚୋରା ବନ୍ଧୁକ କାରବାର କରିଥାନ୍ତି। ଗତ ଦୁଇଦିନ ତଳେ ଚୋରା ବନ୍ଧୁକ ବିକ୍ରି ନେଇ ପୁଲିସକୁ ସୂଚନା ମିଳିଥିଲା। ଦୁଇଜଣ ପୁଲିସ କର୍ମଚାରୀ ବନ୍ଧୁକ ନେବା ପାଇଁ ଗ୍ୟାଙ୍ଗ ସହିତ ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ରାତି ପାଖାପାଖି ୧୧ଟା ସମୟରେ ଗଙ୍ଗୁଆ ବ୍ରିଜ୍‌ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ବନ୍ଧୁକ କିଣିବା ପାଇଁ କଥାବାର୍ତା ଚାଲିଥିଲା। ବନ୍ଧୁକ ଠିକ୍‌ ଅଛିକି ନାହିଁ ଗ୍ରାହକଙ୍କୁ ଦେଖାଇବା ପାଇଁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଏହା ପରେ ଉପସ୍ଥିତ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲେ। ଧଉଳି ଥାନା ଆଇଆଇସି ଜୟଦେବ ବିଶ୍ବଜିତଙ୍କ କହିବାନୁଯାୟୀ ଏହା ୮ ରାଉଣ୍ଡ ଗୁଳି ଭର୍ତି ଏକ ମାଉଜର। ୪୫ ହଜାର ଟଙ୍କାରେ ବିକ୍ରି କରିବାକୁ ମୂଲଚାଲ ହୋଇଥିଲା। ତେବେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପୁଲିସ ଟିମ୍‌ ଗ୍ୟାଙ୍ଗକୁ କାବୁ କରି ନେଇଥିଲା। କିନ୍ତୁ ମାଉଜର୍‌ ଜବତ ହୋଇପାରିନି। ଯେଉଁ ମାଉଜର୍‌ରୁ ଗୁଳି ଫୁଟିଥିଲା ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଚିନୁଙ୍କୁ ଖସାଇ ଦେବାକୁ ଏହା ପୁଲିସର ଚାଲ୍‌ ନୁହେଁ ତ? ବୋଲି ସାଧାରଣରେ ଚର୍ଚାର ହେଉଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୁଲିସ ଧଉଳି ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ଅଭିଯୁକ୍ତମାନଙ୍କ ନିକଟରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ରିମାଣ୍ଡ ସମୟରେ ଚୋରା ବନ୍ଧୁକ ବ୍ୟବସାୟର ଚେର କେଉଁଠାରୁ କେଉଁଠିକୁ ଲମ୍ବିଛି ତାହା ଜାଣିବାକୁ ପୁଲିସ ଚେଷ୍ଟା କରିବ। ଅନ୍ୟପକ୍ଷରେ ରୢାକେଟ୍‌ରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ସଂପର୍କରେ ପଚରାଉଚରା ମଧ୍ୟ କରିବ।

ସମ୍ବନ୍ଧିତ ଖବର