ହ୍ଵଟାସ୍ ଆପ୍ ଗ୍ରୁପ୍ ଜରିଆରେ ଚାଲିଥିବା ଅନ୍ତର୍ଜାତିକ ଶିଶୁ ପର୍ଣ୍ଣୋଗ୍ରାଫି ର୍ୟାକେଟର ପର୍ଦ୍ଦାଫାସ୍ କଲା ସିବିଆଇ
ନୂଆଦିଲ୍ଲୀ: ଏକ ହ୍ଵଟାସ୍ ଆପ୍ ଗ୍ରୁପ୍ ଜରିଆରେ ଚାଲିଥିବା ଏକ ଶିଶୁ ପର୍ଣ୍ଣୋଗ୍ରାଫି (ଅଶ୍ଳୀଳ ଚିତ୍ର ଓ ଭିଡିଓ) ର୍ୟାକେଟକୁ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସଫଳତା ପୂର୍ବକ ଧରିବାରେ ସମର୍ଥ ହୋଇଛି। ଏହି ର୍ୟାକେଟକୁ ସେମାନେ ରାଜଧାନୀ ନୂଆଦିଲ୍ଲୀର ନୋଇଡ଼ାରୁ ଚଳାଉଥିଲେ। ତେବେ, ଏହି ର୍ୟାକେଟର ପର୍ଦ୍ଦା ଫାସ୍ ହେବା ପରେ ଏହାର ଗଭୀରତାକୁ ଦେଖି ନିଜେ ସିବିଆଇ ଅଧିକାରୀମାନେ ମଧ୍ୟ ତଟସ୍ଥ ହୋଇ ପଡ଼ିଛନ୍ତି। ଏହି ହ୍ଵଟାସ୍ ଆପ୍ ଗ୍ରୁପ୍ର ଆଡ୍ମିନିଷ୍ଟ୍ରେଟର ଥିବା ନିଖିଲ ବର୍ମା ନାମକ ୨୦ ବର୍ଷ ବୟସ୍କ ଜନୈକ ଯୁବକକୁ ଗିରଫ କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ସିବିଆଇ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲୋ ଏହି ର୍ୟାକେଟ କେବଳ ଦେଶ ମଧ୍ୟରେ ସୀମିତ ନରହି ଅନ୍ତର୍ଜାତିକ ସ୍ତରରେ ସକ୍ରିୟ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
kidsxxx ନାମରେ ଚାଲିଥିବା ଏହି ଗ୍ରୁପ୍ରେ ୧୯୯ ଜଣ ସଦସ୍ୟ ରହିଥିଲେ। ଆଉ ଏହି ସଦସ୍ୟମାନେ ଭାରତ ସମେତ ବ୍ରାଜିଲ୍, କେନିଆ, ନାଇଜେରିଆ, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ଶ୍ରୀଲଙ୍କା, ଆଫ୍ଗାନିସ୍ତାନ ଓ ପାକିସ୍ତାନର ଥିଲେ। ଏହି ସମସ୍ତ ଦେଶଗୁଡ଼ିକୁ ମଧ୍ୟ ଏହି ର୍ୟାକେଟ ବାବଦରେ ସିବିଆଇ ଅବଗତ କରାଇବା ସହ ଏହି ଗ୍ରୁପ୍ର ବିଦେଶୀ ସଦସ୍ୟମାନଙ୍କ ସୂଚନା ମାଗିଛି।
ଏହି ହ୍ଵଟାସ୍ ଆପ୍ ଗ୍ରୁପ୍ର ଆଡ୍ମିନିଷ୍ଟ୍ରେଟର ଥିବା ନିଖିଲ ବର୍ମାକୁ ଉତ୍ତର ପ୍ରଦେଶର କନୌଜରୁ ଗିରଫ କରିବା ସହ ତା’ର ମୋବାଇଲ୍, ଲାପ୍ଟପ୍ ଓ ହାର୍ଡଡିସ୍କ ଆଦି ଜବତ କରିବାପରେ ଏହି ଗ୍ରୁପ୍ର ଅନ୍ୟ ଚାରି ସହଯୋଗୀ ଆଡ୍ମିନିଷ୍ଟ୍ରେଟର ସତ୍ୟେନ୍ଦ୍ର ଚୌହାନ୍, ନଫିସ୍ ରାଜା, ଜାହିଦ୍ ଓ ଆଦର୍ଶକୁ ଅଟକ ରଖି ବର୍ତ୍ତମାନ ସେମାନଙ୍କୁ ଜେରା ଚଳାଇଛି। ତେବେ, ଏହି ଗ୍ରୁପ୍ର ସଦସ୍ୟ ଓ ଆଡ୍ମିନିଷ୍ଟ୍ରେଟରମାନେ ନିଜେ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ସେସବୁକୁ ଅପ୍ଲୋଡ୍ କରୁଥିଲେ ନା ଅନ୍ୟ କେଉଁଠାରୁ ଆଣି ଅପ୍ଲୋଡ୍ କରୁଥିଲେ ସେବାବଦରେ ସିବିଆଇ ଏବେ ଅନୁସନ୍ଧାନ ଆରମ୍ଭ କରିଛି। ଗୁଇନ୍ଦା ସଂସ୍ଥା ସୂତ୍ରୁରୁ ଏହି ର୍ୟାକେଟ ବାବଦରେ ସୂଚନା ପାଇବା ପରେ ସିବିଆଇ ପକ୍ଷରୁ ଏହି ର୍ୟାକେଟକୁ ଧରିବା ପାଇଁ ଉଦ୍ଦ୍ୟମ ଆରମ୍ଭ ହୋଇଥିଲା।