ବେଙ୍ଗାଲୁର: କର୍ଣ୍ଣାଟକର ମାଙ୍ଗାଲୁର ଡିଏସପି କେ ଗଣପତିଙ୍କ ଆତ୍ମହତ୍ୟା ଘଟଣାରେ ଓଡ଼ିଆ ଆଇପିଏସ ଅଫିସରଙ୍କ ସହିତ ଆଉ ଜଣେ ଆଇପିଏସ ଅଫିସର ଓ କର୍ଣ୍ଣାଟକ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ କର୍ଣ୍ଣାଟକ ପୁଲିସ ଏହି ୩ ଜଣ ଅଭିଯୁକ୍ତଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିବା ବେଳେ ଏବେ ସିବିଆଇ ପୁଣି ଥରେ ଏହି ଦୁଇଜଣ ବରିଷ୍ଠ ଆଇପିଏସ ଓ ଜଣେ ରାଜନେତାଙ୍କ ନାମରେ ମାମଲା ରୁଜୁ କରିଛି।

Advertisment

publive-image

କର୍ଣ୍ଣାଟକର ମାଙ୍ଗାଲୁର ଡିଏସପି କେ ଗଣପତିଙ୍କୁ ରାଜନେତା ଓ ବରିଷ୍ଠ ପୁଲିସ ଅଧିକାରୀମାନେ ନିର୍ଯାତନା ଦେଉଥିଲେ ଓ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ନେଇ ମୃତ ଡିଏସପିଙ୍କ ପୁଅ ନେହାଲ ଗଣପତି କରିଥିବା ଅଭିଯୋଗ ଉପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏଥିରେ ସିବିଆଇ କର୍ଣ୍ଣାଟକ କଂଗ୍ରେସ ସରକାରର ନଗର ଉନ୍ନୟନ ମନ୍ତ୍ରୀ କେ ଜେ ଜର୍ଜଙ୍କ ସହିତ ଓଡ଼ିଆ ଆଇପିଏସ ଅଫିସର ପ୍ରଣବ ମହାନ୍ତି ଓ ଅତିରିକ୍ତି ପୁଲିସ ମହାନିର୍ଦ୍ଦେଶକ ଏଏମ ପ୍ରସାଦେଙ୍କ ନାମରେ ସିବିଆଇ ଏଫଆଇଆର ଦାୟର କରିଛି।
ସୂଚନା ଯୋଗ୍ୟ ଯେ ୫୧ ବର୍ଷୀୟ ମାଙ୍ଗାଲୁର ଡିଏସପି କେ ଗଣପତି ୨୦୧୬ ମସିହା ଜୁଲାଇ ୭ ତାରିଖରେ ମଦିକାରୀର ବିନାୟକ ଲଜ୍‌ରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହା ପରେ ତାଙ୍କ ପୁଅ ନେହାଲ ଗଣପତି କୋର୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପା କର୍ଣ୍ଣାଟକର କେତେକ ରାଜନେତା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। ପରେ ଏ ନେଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନେହାଲ ଗଣପତି କୁଶାଲନଗର ଥାନାରେ ଅଭିଯୋଗ କରିଥିଲେ। କୁଶାଲଗନର ଥାନାରେ ହୋଇଥିବା ଅଭିଯୋଗ ଭିତ୍ତିରେ ସିବିଆଇ ନଗର ଉନ୍ନୟନ ମନ୍ତ୍ରୀ କେ ଜେ ଜର୍ଜ, ଓଡ଼ିଆ ଆଇପିଏସ ଅଫିସର ତଥା କର୍ଣ୍ଣାଟକ ଲୋକାୟୁକ୍ତର ଆଇଜି ପ୍ରଣବ ମହାନ୍ତି ଓ ରାଜ୍ୟ ଗୁଇନ୍ଦା ବିଭାଗର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏଏମ ପ୍ରସାଦଙ୍କ ନାମରେ ମାମଲା ରୁଜୁ କରିଛି।

publive-image
ଆତ୍ମହତ୍ୟା କରିବାର ଘଣ୍ଟାକ ପୂର୍ବରୁ ଏକ ସ୍ଥାନୀୟ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଗଣପତି କହିଥିଲେ ଯେ ସେ ପୁଲିସ ବିଭାଗରେ ଜାତିଭିତ୍ତିକ ବଦଳି ଚାଲିଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଏପରି କରିବା କଥା ନୁହେଁ, ଏହା ଭୁଲ ବୋଲି ସେ ଗଣମାଧ୍ୟମ ସାମ୍‌ନାରେ ନିଜ ମତ ରଖିଥିଲେ। କେବଳ ସେତିକି ନୁହେଁ, ଗଣପତି ଆହୁରି କହିଥିଲେ ଯେ ଏହି ସାକ୍ଷାତକାର ପରେ ଯଦି ମୋତେ କିଛି ହୋଇଯାଏ ତେବେ ସେଥିପାଇଁ ସେମାନେ ଦାୟୀ ରକିବେ। ଗଣପତି ଯେଉଁ ମାନଙ୍କୁ ତାଙ୍କ ମୃତ୍ୟୁ ପାଇ ଦାୟୀ ରହିବେ ବୋଲି କହିଥିଲେ, ସେମାନଙ୍କ ମଧ୍ୟରେ ବରିଷ୍ଠ ଆଇପିସଏସ ଅଫିସର ଏଏମ ପ୍ରସାଦ, ପ୍ରଣବ ମହାନ୍ତି ଓ ତତକାଳୀନ ରାଜ୍ୟ ଗୃହମନ୍ତ୍ରୀ ତଥା ବର୍ତ୍ତମାନ ନଗର ଉନ୍ନୟନ ମନ୍ତ୍ରୀ କେ ଜେ ଜର୍ଜ୍ଜଙ୍କ ନାମ ଉଠିଛି। ତେବେ ୨୦୧୬ ମସିହା ସେପ୍ଟେମ୍ବର ମାସରେ କର୍ଣ୍ଣାଟକ ପୁଲିସ ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା। କର୍ଣ୍ଣାଟକ ସିଆଇଡ଼ି ମହାନିର୍ଦ୍ଦେଶକ କିଶୋର ଚନ୍ଦ୍ର ଅଭିଯୁକ୍ତମାନଙ୍କ ବିରୋଧରେ ସ୍ପଷ୍ଟ ପ୍ରମାଣ ନ ଥିବା କହିଥିଲେ। ତେବେ ଏ ନେଇ ନେହାଲ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହେବା ପରେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିଛି।