ସିବିଆଇକୁ ତଦନ୍ତରେ ସହଯୋଗ କରୁନାହାନ୍ତି କୋଲକାତା ପୁଲିସ୍‌ କମିସନର୍‌ ରାଜୀବ କୁମାର

କୋଲକାତା: ଚିଟ୍‌ଫଣ୍ଡ୍‌  ବିବାଦରେ ଛନ୍ଦି ହୋଇଥିବା କୋଲକାତା ପୁଲିସ୍‌ କମିସନର୍‌ ରାଜୀବ କୁମାରଙ୍କୁ  ନେଇ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ଅଧିକାରୀମାନଙ୍କ ଚିନ୍ତା ବଢ଼ିଛି। ରାଜୀବ କୁମାରଙ୍କୁ ସାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ପଚରାଉଚରା ଆରମ୍ଭ କରିଥିବା ସିବିଆଇ ଅଧିକାରୀମାନେ ଶନିବାର ସୁଦ୍ଧା ସୁପ୍ରିମ୍‌କୋର୍ଟ ଦେଇଥିବା ଗାଇଡଲାଇନ୍ ଅନୁସାରେ କୌଣସି ପ୍ରକାର ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିନାହାନ୍ତି।

ଘଣ୍ଟାଘଣ୍ଟା ଧରି ପଚରାଉଚରା କରିବା ପରେ ବି ରାଜୀବ କୁମାରଙ୍କ ଠାରୁ ସନ୍ତୋଷଜନକ ଉତ୍ତର ପାଇ ପାରି ନ ଥିଲେ। ସେ ସିବିଆଇର ଅଧିକାରୀଙ୍କୁ   ସହଯୋଗ କରୁ ନଥିବା ଜଣାପଡ଼ିଛି । କୋଲକାତା କମିସନର ରାଜୀବଙ୍କ ସହ ତାଙ୍କ ଓକିଲ ବିଶ୍ୱଜିତ୍‌ ଦାସ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।

ରାଜୀବ କୁମାର ଶୁକ୍ରବାର ସହରର ଏକ ଦାମୀ ହୋଟେଲ୍‌ରେ ଆସି ରହିବା ପରେ ତାଙ୍କୁ ଓକ୍‌ଲାଣ୍ଡ୍‌ରେ ଥିବା ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଥିଲା। ଦିନ ୧୧ଟାରେ ପଚରାଉଚରା ଆରମ୍ଭ ହୋଇଥିଲେ ବି ସେ ଅପରାହ୍ନ ପର୍ଯ୍ୟନ୍ତ ସିବିଆଇ ଟିମ୍‌କୁ କୌଣସି ପ୍ରକାର ସହଯୋଗ କରିନଥିବା ସୂଚନା ରହିଛି।

ସିବିଆଇ ଅଫିସ୍‌ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବଳ ଭିଡ଼ ଜମିଥିବା ହେତୁ ସେଠାରେ ସୁରକ୍ଷା ବ୍ୟବସ୍ଥା ପୂରାପୂରି କଡ଼ା ରହିଥିଲା।

ପଚରାଉଚରା ଲାଗି  ଡିଆଇଜି ବିବେକ୍‌ ଦତ୍ତଙ୍କ ନେତୃତ୍ୱରେ ଏସ୍‌ପି, ଆଡିସ୍‌ନାଲ୍‌ ଏସ୍‌ପି ଓ ଡିଏସ୍‌ପି ଆଦି ପଦବୀର ଅଧିକାରୀମାନଙ୍କୁ ନେଇ ଏକ ୧୨ ଜଣିଆ ଦଳ ଗଠନ କରାଯାଇଥିଲା।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ସର୍ବୋଚ୍ଚ ନ୍ୟାୟାଳୟ ରାଜୀବ କୁମାରଙ୍କୁ ସିବିଆଇ ସହ ପୂର୍ଣ୍ଣ ସହଯୋଗ କରିବାକୁ କହିଥିବା ବେଳେ କୁମାରଙ୍କୁ ଗିରଫ ନ କରିବା ପାଇଁ  ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

ସିବିଆଇ ରବିବାର ଦିନ ବି କୁମାରଙ୍କୁ ପଚରାଉଚରା କାର୍ଯ୍ୟ ଜାରି ରଖିବ। ଏହି ମାମଲାର ଆଗାମୀ ଶୁଣାଣି ଫେବ୍ରୁଆରି ୨୦ରେ ହେବ।

ସମ୍ବନ୍ଧିତ ଖବର