ନକଲି ସସ୍‌ କାରଖାନା ଠାବ ଜଣେ ଗିରଫ

ଖୋଳତାଡ଼ କରୁଛି ପୁଲିସ ପଚା କଖାରୁ, ଅମୃତଭଣ୍ଡା, ପୋଟଳ, ଭିନେଗାର ଜବତ

ଚନ୍ଦ୍ରଶେଖରପୁର: ରାଜଧାନୀରେ ତିଆରି ହେଉଥିଲା ଅପମିଶ୍ରିତ ସସ୍‌। ବସ୍ତିରେ ବସିଥିଲା ଏହି କାରଖାନା। ଏଭଳି ଏକ କାରଖାନାକୁ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ମଙ୍ଗଳବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଶୈଳଶ୍ରୀ ବିହାର ମହାବୀର ବସ୍ତିରେ ଥିବା ଏକ ଘର ଉପରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେଠାରୁ ନକଲି ସସ୍‌ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ସସ୍‌ ତିଆରି ମେସିନ୍‌ ସମେତ ପଚା କଖାରୁ, ଅମୃତଭଣ୍ଡା, ପୋଟଳ, ଭିନେଗାର, ଖାଲି ବୋତଲ, ଷ୍ଟିକର୍‌ ଆଦି ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆର୍ତ୍ତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଧାରା ୩୭୨, ୩୭୩, ୪୨୦, ୪୬୮, ୪୮୨ ଆପିସି-୭୮/୭୯ ଓ ୧୦୨/୧୦୩ ଓ, ମାମଲା ସଂଖ୍ୟା ୩୫୮/୧୮ରେ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଆର୍ତ୍ତ ସିଂହ(୪୫)ର ଘର ଯାଜପୁର ଜିଲ୍ଲାରେ। ଗତ କିଛି ବର୍ଷ ହେଲା ସେ ପରିବାର ସହ ରାଜଧାନୀରେ ରହି ନକଲି ସସ୍‌ ତିଆରି କରୁଥିଲା। ପୂର୍ବରୁ ମଧ୍ୟ ସେ ଏପରି ଅନେକ ବେଆଇନ୍‌ କାମରେ ଲିପ୍ତ ଥିବା ପୁଲିସ କହିଛି। ପଚା କଖାରୁ, ଅମୃତଭଣ୍ଡା, ପୋଟଳ ଓ ରାସାୟନିକ ରଙ୍ଗ ବ୍ୟବହାର କରି ସେ ଏପରି ନକଲି ସସ୍‌ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଥିଲା। ଖବର ମିଳିବା ପରେ ମଙ୍ଗଳବାର ରାତିରେ ଚଢ଼ଉ କରାଯାଇଥିଲା। ଭୁବନେଶ୍ୱରର କେତେକ ଫାଷ୍ଟଫୁଡ୍‌ ଦୋକାନରେ ଜବତ ହୋଇଥିବା ବ୍ରାଣ୍ଡର ସସ୍‌ ବିକ୍ରି ହେଉଥିବା ନଜରକୁ ଆସିଛି। ତେଣୁ ଏହି ଘଟଣା ପଛରେ ବଡ଼ ଧରଣର ର‍୍ୟାକେଟ୍‌ କାମ କରୁଥିବା ସୂଚନା ମିଳୁଛି। ଏହା ଉପରେ ଅଧିକ ତଦନ୍ତ ପାଇଁ ଡିସିପି ଅନୁପ୍‌ ସାହୁ ନିର୍ଦେଶ ଦେଇଛନ୍ତି।

ଏମିତି ଚାଲିଥିଲା ନକଲି ‘ସସ୍‌’ ତିଆରି
ପ୍ରଥମେ ଚାଷୀଙ୍କଠାରୁ କମ୍‌ ଦାମରେ ମିଳୁଥିବା ତଥା ପଚି ଆସୁଥିବା କଖାରୁ କିଣାଯାଉଥିଲା। ନିକଟସ୍ଥ କୌଣସି ବଜାରରୁ କଖାରୁ ନ ଉଠାଇ ଗ୍ରାମାଞ୍ଚଳରେ ଯେଉଁଠି କମ୍‌ ମୂଲ୍ୟରେ କଖାରୁ ମିଳୁଛି ସେଠାରୁ ସିଧାସଳଖ କ୍ରୟ କରାଯାଉଥିଲା। କଖାରୁଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି ସସ୍‌ ମେସିନ୍‌ରେ ଭର୍ତ୍ତି କରି ସେଥିରେ ଭିନେଗାର ଓ ରଙ୍ଗ ବ୍ୟବହାର କରି ଟମାଟୋ, ଚିଲି ଓ ସୋୟା ସସ୍‌ ପ୍ରସ୍ତୁତ ହେଉଥିଲା। ଗ୍ରାହକମାନେ ଯେପରି ଜାଣି ନପାରିବେ ସେଥିପାଇଁ ଅଳ୍ପ କିଛି ଟମାଟୋ, ଚିଲି ସସ୍‌ରେ ଲଙ୍କା ଓ ସୋୟାରେ ଅଳ୍ପ ସୋୟା ବ୍ୟବହାର ହେଉଥିଲା।

କମ୍ପାନି ନାଁ ଥିଲା ‘କିରଣ’
ଅତି ଚତୁରତାର ସହ ଚାଲିଥିଲା ବେପାର। କମ୍ପାନି ନାଁ ରଖାଯାଇଥିଲା ‘କିରଣ’। ଏକ ପ୍ରମୁଖ ସସ୍‌ କମ୍ପାନିର ପ୍ରଥମ ଅକ୍ଷର ‘କି’ରୁ ଆରମ୍ଭ ହୋଇଥିବାରୁ ଏଠାରେ ମଧ୍ୟ କମ୍ପାନି ନାଁ ‘କିରଣ’ ରଖାଯାଇଥିଲା। ‘କିରଣ’ ବ୍ରାଣ୍ଡର ୨୦୦ରୁ ଅଧିକ ବୋତଲ ଓ ଷ୍ଟିକର୍‌କୁ ପୁଲିସ ଜବତ କରିଛି। ବଜାରରୁ ବୋତଲ ସଂଗ୍ରହ କରିବା ପରେ ସେଥିରେ ଷ୍ଟିକର୍‌ିଂ କରାଯାଇ କିରଣ କମ୍ପାନି ବୋଲି ଉଲ୍ଲେଖ ହେଉଥିଲା।

ସମ୍ବନ୍ଧିତ ଖବର