କୋଲ୍କାତା: ଇଣ୍ଟର୍ନେଟ୍ରେ ପୁରୀସ୍ଥିତ ଏକ ହୋଟେଲ୍ ରୁମ୍ ବୁକ୍ କରିବା ସମୟରେ କେନ୍ଦ୍ରାଞ୍ଚଳ କୋଲ୍କାତାର ଜଣେ ମହିଳାଙ୍କ ଆକାଉଣ୍ଟ୍ରୁ ୯୬,୦୦୦ ଟଙ୍କା ‘ଡେବିଟ୍’ ହୋଇଯାଇଥିବା ପୁଲିସ କହିଛି।
ସଂଗୃହୀତ ସୂଚନା ଅନୁସାରେ, ସପରିବାର ବୁଲାବୁଲି କରିବାକୁ ଯୋଜନା କରିଥିବା ଜଣେ ମହିଳା ‘ଗୁଗଲ୍ ସର୍ଚ’ ବେଳେ ଗୋଟାଏ ଫୋନ୍ ନମ୍ବର ପାଇଥିଲେ, ଯାହା ପୁରୀସ୍ଥିତ ଏକ ହୋଟେଲ୍ର ବୋଲି ଦର୍ଶାଯାଇଥିଲା। ସେହି ନମ୍ବରରୁ ତାଙ୍କ ‘ହ୍ବାଟସ୍ଆପ୍’କୁ ପଠାଯାଇଥିବା ଗୋଟାଏ ଲିଙ୍କ୍ରେ କ୍ଲିକ୍ କରିବାକ୍ଷଣି ସେ ଠକାମିରେ ପଡ଼ିଗଲେ। କେଇ ମୁହୂର୍ତ୍ତରେ ତାଙ୍କ ଆକାଉଣ୍ଟ୍ରୁ ୯୬,୦୦୦ ଟଙ୍କା ଉଠିଗଲା।
ସିଟି ପୋଲିସ୍ର କେନ୍ଦ୍ରୀୟ ଡିଭିଜନ୍ସ୍ଥିତ ‘ସାଇବର କ୍ରାଇମ୍ ସେଲ୍’ର ଜଣେ ଅଧିକାରୀ କହିଛନ୍ତି, ସେ ହୋଟେଲ୍ର ହୋଇଥିବା ବିଚାରି ଉକ୍ତ ନମ୍ବର ଡାଏଲ୍ କରିବାରୁ ରୁମ୍ ବୁକ୍ କରିବା ଲାଗି ୧୨,୦୦୦ ଟଙ୍କା ଅଗ୍ରମୀ ଦେୟ ପଠାଇବାକୁ ଉକ୍ତ ମହିଳାଙ୍କୁ କୁହାଯାଇଥିଲା। ସେ ନିର୍ଦେଶ ମାନିଲେ। କିନ୍ତୁ, ତା’ପରେ ହୋଟେଲ୍ର ମ୍ୟାନେଜର ବୋଲି ପରିଚୟ ଦେଇ ଫୋନ୍ କରିଥିବା ବ୍ୟକ୍ତିଜଣକ ତାଙ୍କୁ କହିଲେ କି, ବୈଷୟିକ ଅସୁବିଧା ହେତୁ ହୋଟେଲ୍ ଆକାଉଣ୍ଟ୍ରେ ଟ୍ରାନ୍ସ୍ଫର୍ ହୋଇଥିବା ଟଙ୍କା ଦିଶୁନାହିଁ।

‘ହ୍ବାଟସ୍ଆପ୍’ ମେସେଜ୍ ଜରିଆରେ ଉକ୍ତ ମହିଳାଙ୍କ ନିକଟକୁ ଆସିଥିବା ଗୋଟାଏ ‘ୟୁପିଆଇ’ ନମ୍ବରରେ ସେ ଅଗ୍ରୀମ ବାବଦ ଟଙ୍କା ପଠାଇଥିଲେ।
ଏହାପରେ, ଉକ୍ତ ଠକ ସେ ମହିଳାଙ୍କୁ ଫୋନ୍ କରି କହିଲେ କି, ସେମାନେ ତାଙ୍କ ଫୋନ୍କୁ ଗୋଟାଏ ଲିଙ୍କ୍ ପଠାଇବେ, ସେଥିରେ ସେ ପୁଣି ଥରେ ଅଗ୍ରୀମ ଦେୟ ଅର୍ଥ ପଠାନ୍ତୁ। ଏହାଛଡ଼ା, ସେ କହିଲେ ଯେ, ଯଦି ଆଗଥର ଆସିଥିବା ଅଗ୍ରୀମ ଦେୟ ପୈଠ ହୋଇଥିବା ଜଣାପଡ଼ିବ ତାହା ପରେ ‘ଆଡ୍ଜଷ୍ଟ୍’ କରାଯିବ।
ଫୋନ୍ରେ ଆସିଥିବା ‘ଲିଙ୍କ୍’କୁ ମହିଳାଜଣକ ‘କ୍ଲିକ୍’ କରିବା ମାତ୍ରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୮୪,୦୦୦ ଟଙ୍କା ଉଠିଯାଇଥିଲା ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।
ଠକ ହାବୁଡ଼ରେ ପଡ଼ିଥିବା କଥା ଜାଣିବା ପରେ ମହିଳାଜଣକ ଉତ୍ତର କୋଲ୍କାତାସ୍ଥିତ ମୁଚିପଡ଼ା ଥାନା ଓ କେନ୍ଦ୍ରୀୟ ଡିଭିଜନ୍ରେ ଥିବା ‘ସାଇବର୍ କ୍ରାଇମ୍ ସେଲ୍’ରେ ଅଭିଯୋଗ କରିଥିଲେ। ତଦନ୍ତ ଆରମ୍ଭ କରି ‘ସେଲ୍’ ସେ ମହିଳାଙ୍କ ବ୍ୟାଙ୍କ୍ ସହିତ ଯୋଗାଯୋଗ କରିଥିଲା।
ଲାଲ୍ବଜାରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ‘ଡେବିଟ୍’ ହୋଇଥିବା ଅର୍ଥ ଉତ୍ତରାଖଣ୍ଡରେ ଥିବା ଏକ ବ୍ୟାଙ୍କ୍ ଶାଖାକୁ ଟ୍ରାନ୍ସ୍ଫର୍ ହୋଇଥିବା ଜଣାପଡ଼ି। ଉକ୍ତ ମହିଳାଙ୍କଠାରୁ ଠକି ନିଆଯାଇଥିବା ଅର୍ଥର ବହୁଳାଂଶ (୮୮,୯୦୦ ଟଙ୍କା) ଉଦ୍ଧାର କରାଯାଇଛି।