ହ୍ବାଟ୍‌ସଆପ୍ ବ୍ୟବହାରକାରୀଙ୍କୁ କେନ୍ଦ୍ରର ଚେତାବନୀ: ଭିଡିଓ କଲ୍ ମାଧ୍ୟମରେ ହ୍ୟାକର୍ ଆକ୍ରମଣ କରିପାରେ

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍ ମାଧ୍ୟମରେ ବାର୍ତ୍ତା ଆଦାନପ୍ରଦାନ କରିବାରେ ପ୍ରାୟ ସମସ୍ତ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଅଭ୍ୟସ୍ତ। ତେବେ ଏହି ହ୍ବାଟ୍‌ସଆପ୍ ମାଧ୍ୟମରେ ଭିଡିଓ କଲ୍ କରି ହ୍ୟାକର୍‌ମାନେ ଆପଣଙ୍କ ଡିଜିଟାଲ ସିଷ୍ଟମ୍‌କୁ ହ୍ୟାକ୍ କରିପାରନ୍ତି ବୋଲି କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା-ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ନୋଡାଲ ସଂସ୍ଥା ଇଣ୍ଡିଆନ କମ୍ପ୍ୟୁଟର ଇମର୍ଜେନ୍ସି ରେସ୍ପନ୍ସ ଟିମ୍ (ସିଇଆର୍‌ଟି-ଇନ୍) ପକ୍ଷରୁ ଆଣ୍ଡ୍ରଏଡ୍ ଓ ଆଇଓଏସ୍ (ଆଇଫୋନ୍ ଅପରେଟିଂ ସିଷ୍ଟମ୍)ର ଭି୨.୨୨.୧୬.୧୨ ପୂର୍ବର ପୁରୁଣା ଭର୍ସନ ପାଇଁ ହ୍ବାଟ୍‌ସଆପ୍ ମାଧ୍ୟମରେ ବିପଦର ସମ୍ଭାବନା ରହୁଥିବା ଚେତାଇ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ଉପଦେଶାବଳୀ ଅନୁସାରେ ଭିଡିଓ କଲ୍ ମାଧ୍ୟମରେ ହ୍ୟାକର ଏକ ରିମୋଟ୍‌ କୋଡ୍‌କୁ ଏକ୍‌ଜିକ୍ୟୁଟ୍ କରି ଆପଣଙ୍କ ଫୋନ୍‌କୁ ହ୍ୟାକ୍ କରିନେଇପାରେ। ହ୍ୟାକର ମଧ୍ୟ ଏକ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଭିଡିଓ ଫାଇଲ ପଠାଇ ଆପଣଙ୍କ ଫୋନ୍‌କୁ ଟାର୍ଗେଟ୍ କରିପାରେ। ଏପରି ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବା ପାଇଁ ନିଜ ଆପ୍‌କୁ ଅପ୍‌ଡେଟ୍ କରିବା ପାଇଁ ପରାମର୍ଶ ଦିଆଯାଇଛି। ନିକଟରେ ହ୍ବାଟ୍‌ସଆପ୍ ‘କଲ୍ ଲିଙ୍କ୍’ ନାମକ ଏକ ନୂଆ ବୈଶିଷ୍ଟ୍ୟ ଯୋଗ କରିଛି। ଏହି ଲିଙ୍କ୍ ମାଧ୍ୟମରେ ଜଣେ ଭିଡିଓ ବା ଅଡିଓ କଲ୍‌ରେ ଯୋଗ ଦେଇପାରିବ। ଲୋକେ ଏପରି ଲିଙ୍କ୍ ପଠାଇପାରିବେ ଓ ଗ୍ରହଣ ବି କରିପାରିବେ। କିନ୍ତୁ ହ୍ୟାକରମାନେ ବି ଏହାର ଫାଇଦା ନେଇ ଆପଣଙ୍କୁ ଲୁଟିପାରନ୍ତି।

ସମ୍ବନ୍ଧିତ ଖବର