ମୋତେ ବିବାହ କରି ମୋ ପିଲାଙ୍କ ବାପା ହେବେ ବୋଲି ପ୍ରସ୍ତାବ ଦେଇଥିଲେ ସୁକେଶ : ଚାହତ ଖାନ୍ନା

ମୁମ୍ବାଇ: ୨୦୦କୋଟି ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ କାରନାମା ନେଇ ଏବେ ଆଉ ଜଣେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି। ପୂର୍ବରୁ ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜାକଲିନ ଫର୍ଣ୍ଣାଡିଜ ସୁକେଶଙ୍କୁ ନେଇ ବଡ଼ ବଡ଼ ରହସ୍ୟ ଉପରୁ ପରଦା ଉଠାଇଥିବା ବେଳେ ଏବେ ଟେଲି ଅଭିନେତ୍ରୀ ଚାହତ ଖାନ୍ନା ବଡ଼ ଖୁଲାସା କରିଛନ୍ତି।

ଜେଲକୁ ଜୋରଜବରଦସ୍ତ ନେଇ ବିବାହ କରିବାକୁ ସୁକେଶ ତାଙ୍କୁ ପ୍ରସ୍ତାବ ଦେଇଥିଲା ବୋଲି କହିଛନ୍ତି ଚାହତ। ଇଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୋତେ ୨୦୧୮ରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ମୁଁ ପିଙ୍କି ଇରାନୀଙ୍କୁ ଭେଟିଥିଲି। ଏହାର କିଛି ଦିନ ପରେ ହଠାତ୍ ମୋତେ ଏକ ଅଜଣା ଗାଡ଼ି ଉଠାଇ ନେଇ ତିହାର ଜେଲ ପରିସରକୁ ଚାଲିଯାଇଥିଲା। ସେଠାରେ ମୋର ଦେଖା ହୋଇଥିଲା ସୁକେଶଙ୍କ ସହ। ସେ ନିଜକୁ ଏକ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଟିଭି ଚ୍ୟାନେଲର ମାଲିକ ତଥା ଜେ ଜୟଲଳିତାଙ୍କ ଭଣଜା ବୋଲି କହିଥିଲେ। ଏହା ସହ ନିର୍ବାଚନ ସମୟରେ ଇଭିଏମ୍ ଟାମ୍ପରିଂ ପାଇଁ ତାଙ୍କୁ ଗିରଫ କରାଯାଇଥିଲା ବୋଲି କହିଥିଲେ। କିଛି ସମୟର କଥାବାର୍ତ୍ତା ପରେ ସେ ମୋତେ ଆଣ୍ଠୁମାଡି ବିବାହ ପ୍ରସ୍ତାବ ଦେଇଥିଲେ। ମୁଁ ବିବାହିତ ଓ ମୋର ଦୁଇଟି ସନ୍ତାନ ଥିବା କହିବାରୁ ସେ ମୋ ଦୁଇ ସନ୍ତାନଙ୍କ ବାପା ହେବାକୁ ଚାହାନ୍ତି ବୋଲି କହିଥିଲେ।

ଚାହତଙ୍କ ଅନୁଯାୟୀ, ଏଭଳି ପ୍ରସ୍ତାବ ପାଇ ସେ କାନ୍ଦିବାରୁ ତାଙ୍କୁ ୨ଲକ୍ଷ ଟଙ୍କା ଶଗୁନ ଭାବେ ଦେଇ ମୁମ୍ବାଇ ବିମାନବନ୍ଦରରେ ଛାଡ଼ି ଦିଆଯାଇଥିଲା। ମୁମ୍ବାଇ ଆସିବା ପରେ ଚାହତଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା ସୁକେଶ। ତିହାର ଜେଲ ଆସି ଭେଟିଥିବାର ଭିଡିଓ ନିଉଜ ଚ୍ୟାନେଲକୁ ଦେଇଦେବି ବୋଲି କହି ଚାହତଙ୍କୁ ବ୍ଲାକମେଲ କରି ୧୦ଲକ୍ଷ ମାଗିଥିଲେ ସୁକେଶ। ଭିଡିଓ ଭାଇରାଲ ହୋଇଯିବା ଡରରେ ଚାହତ ସୁକେଶଙ୍କୁ ୧୦ଲକ୍ଷ ମଧ୍ୟ ଦେଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର