ଖଣ୍ଡଗିରି : ଦଶହରା ପୂର୍ବରୁ କମିସନରେଟ୍ ପୁଲିସ ଲୁଟେରାମାନଙ୍କୁ ଧରିବାରେ ଲାଗି ପଡ଼ିଥିବାବେଳେ ସୋମବାର ଲୋକେ ବି ୧୬ ନମ୍ବର ଜାତୀୟ ରାଜପଥରୁ ଦୁଇ କୁଖ୍ୟାତ୍ ଚେନ୍ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ନିର୍ଘାତ୍ ଚେଛିବା ପରେ ସେମାନଙ୍କୁ ତମାଣ୍ଡୋ ଥାନା ପୁଲିସ ଜିମା ଦିଆଯାଇଛି। ସେମାନେ ହେଲେ ଖୋର୍ଧା ଜଙ୍କିଆ ଥାନା ମୋଟା ଅଞ୍ଚଳର ସୁଧାଂଶୁ ପଟ୍ଟନାୟକ(୨୩) ଓ ରାମେଶ୍ୱର ନିରାକାରପୁର ଅଞ୍ଚଳର ଗୋପାଳ ବିଶ୍ୱାଳ(୨୬)।
ସୂଚନାନୁସାରେ ଖୋର୍ଧା ସଦର ଥାନା ଦୁର୍ଗାପୁରର ପ୍ରଶାନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ବନଲତା ଏକ ବାଇକ୍ ଯୋଗେ ଭୁବନେଶ୍ୱରରୁ ଖୋର୍ଧା ଫେରୁଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୨ଟା। ସେମାନେ ଗୋହିରା ଛକରେ ପହଞ୍ଚିିବାବେଳେ ପଛରୁ ଏକ ନମ୍ବର ନଥିବା ନୂଆ ପଲସର୍ରେ ସେମାନଙ୍କୁ ପିଛା କରୁଥିବା ଦୁର୍ବୃତ୍ତଦ୍ୱୟ ବନଲତାଙ୍କ ବେକରୁ ୨୦ ଗ୍ରାମ୍ ଓଜନର ସୁନାଚେନ୍ଟି ଝାମ୍ପି ନେଇଥିଲେ। ଚୋର ଚୋର ବୋଲି ବନଲତା ଜୋର୍ରେ ପାଟି କରିଥିଲେ। ତେବେ ଚେନ୍ ଝାମ୍ପି ନେବାର ଦୃଶ୍ୟକୁ ପଛରୁ ଆସୁଥିବା ଏକ କାର୍ ଚାଳକ ଦେଖି ପକାଇଥିଲେ। ଦୁର୍ବୃତ୍ତଦ୍ୱୟ ଦ୍ରୁତବେଗରେ ଫେରାର୍ ହୋଇ ଯାଉଥିବା ଦେଖି କାର୍ ଚାଳକ ବୁଦ୍ଧି ଖଟାଇ ସେମାନଙ୍କୁ ସାଇଡ୍ ମାରିଥିଲେ। ଫଳରେ ଦୁର୍ବୃତ୍ତଦ୍ୱୟ କାର୍ରେ ଘଷି ହୋଇ ତଳେ ପଡ଼ି ଯାଇଥିଲେ। କାର୍ ଚାଳକ ତାଙ୍କ କାମ ବଢ଼ାଇସାରି ଘଟଣାସ୍ଥଳରୁ ପଳାଇଥିଲେ।
ବାଇକ୍ ପଛରେ ଥିବା ଗୋପାଳ ଚଟାପଟ୍ ତଳୁ ଉଠି ନିକଟସ୍ଥ ବିଲ ଭିତର ଦେଇ ଦୌଡ଼ିଥିଲା। ତେବେ ସୁଧାଂଶୁ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ଗୋହିରା ଛକରେ ବସ୍କୁ ଅପେକ୍ଷା କରିଥିବା ଲୋକେ ସୁଧାଂଶୁକୁ ମାଡ଼ ଦେବା ଆରମ୍ଭ କରି ଦେଇଥିଲେ। ବାଇକ୍କୁ ଚୁନା କରିବା ସହ ସୁଧାଂଶୁକୁ ନିର୍ଘାତ୍ ପିଟିଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ସେଠାରୁ ସୁଧାଂଶୁକୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା। ଏଣେ ଗହୀର ଭିତରେ ଦୌଡ଼ି ଦୌଡ଼ି ପଳାଉଥିବା ଗୋପାଳକୁ କିଛି ଯୁବକ ପିଛା କରିଥିଲେ। ମହୁରା ଓ ନଁପୁଟର କିଛି ଯୁବକ ତାକୁ ଗହୀର ଭିତରେ ମାଡ଼ି ବସିଥିଲେ। ଗୋପାଳ ପିଠିରେ ପୁଳାଏ ଅମରି ବାଡ଼ି ଉଡ଼ିଯାଇଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଗୋପାଳକୁ ଧରି ଥାନାକୁ ନେଇଥିଲା। ପୁଲିସ ସେମାନଙ୍କଠାରୁ ସୁନାଚେନ୍ ଉଦ୍ଧାର କରିଛି। ୧୬ ନମ୍ବର ଜାତୀୟ ରାଜପଥରେ ତମାଣ୍ଡୋରୁ ପିତାପଲ୍ଲୀ ଭିତରେ ହୋଇଥିବା ବହୁ ସୁନାଚେନ୍ ଛିନ୍ତାଇରେ ଏମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି ବୋଲି ଆଇଆଇସି ଅତନୁ ରାଉତ କହିଛନ୍ତି। ତେଣୁ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ସେ କହିଛନ୍ତି।