ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରି ଝାମ୍ପିନେଲେ ସୁନା ଚେନ

ବାଲିଅନ୍ତା: ପାହାଳ ଫାଣ୍ଡି ଅଧୀନ ଅଡାଳିଆସ୍ଥିତ ଡିପିଏସ୍‌ ସ୍କୁଲ ନିକଟରେ ଆଜି ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ, ପୁଷ୍ପବତୀ ମହାପାତ୍ର (୬୨)। ଆଜି ସେ ୟୁନିଟ୍‌-୨ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରି ବେକରୁ ୨୦ ଗ୍ରାମ୍‌ ଓଜନର ସୁନା ଚେନ୍‌ ଝାମ୍ପି ନେଇଥିଲେ। ଏ ସଂପର୍କରେ ତାଙ୍କ ପୁଅ ସତ୍ୟଜିତ୍‌ ମହାପାତ୍ର ପାହାଳ ଫାଣ୍ଡିରେ ଅଭିଯୋଗ କରିବାରୁ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଛାନଭିନ୍‌ କରିବା ସହ ସେଠାରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଅପରପକ୍ଷେ ଲୁଟ୍‌ ବେଳେ ପୁଷ୍ପବତୀ ଗାଡ଼ିରୁ ତଳେ ପଡ଼ି ଯିବାରୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ପରିବାରଲୋକ ତାଙ୍କୁ ମହୀଧରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ ଦୁର୍ବୃତ୍ତମାନେ ଲୁଟ୍‌ ବେଳେ ଯେଉଁ ବାଇକ୍‌ଟିର ବ୍ୟବହାର କରିଥିଲେ, ତାହା ଏକ ଚୋରା ବାଇକ୍‌। ବାଇକ ନମ୍ବର ତଥ୍ୟ ଆଧାରରେ ପୁଲିସ ସ୍ଥାନୀୟ ଜୋହଳ ଗ୍ରାମର ସଂଜୟ କୁମାର ବେହେରାଙ୍କ ଘରେ ପହଞ୍ଚି ପଚରାଉଚରା କରିଥିଲା। କିନ୍ତୁ ଉକ୍ତ କଳା ଓ ନାଲିରଙ୍ଗର ୟାମାହା ଏଫ ଜେଡଏସ କିଛି ଦିନ ତଳେ ଚୋରି ହୋଇଯାଇଥିବା ସଂଜୟ କହିଥିଲେ।

ସମ୍ବନ୍ଧିତ ଖବର