ରାଜଧାନୀରେ ମାତିଛନ୍ତି ଲୁଟେରା: ଚେନ୍ ଝାମ୍ପିନେଲେ, ବାଇକ୍ ଛାଡ଼ି ଛୁ’ ମାରିଲେ

ଖଣ୍ଡଗିରି: ରବିବାର ଅପରାହ୍‌ଣରେ ଦୁଇଜଣ ଦୁର୍ବୃତ୍ତ ତମାଣ୍ଡୋ ବଜାରସ୍ଥିତ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ଘର ସମ୍ମୁଖରୁ ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ମହିଳା ହେଲେ, ଅବସରପ୍ରାପ୍ତ ଡାକ୍ତର ଦ୍ବିଜବର ପାଣ୍ଡେଙ୍କ ସ୍ତ୍ରୀ ମିନତି ପାଣ୍ଡେ(୬୨)। ଲୁଟ୍ ପରେ ପରେ ପିଛା କରୁଥିବା ଯୁବକମାନଙ୍କ ହାତରେ ଧରା ପଡ଼ିଯିବା ଭୟରେ ଦୁର୍ବୃତ୍ତମାନେ ସେମାନଙ୍କ ବାଇକ୍‌ଟିକୁ ଛାଡ଼ି ଚମ୍ପଟ ମାରିବାକୁ ବାଧ୍ୟ ହୋଇଛନ୍ତି। ତମାଣ୍ଡୋ ଥାନା ପୁଲିସ ବାଇକ୍‌କୁ ଜବତ କରି ଛାନ୍‌ଭିନ୍ ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ।

ସୂଚନାନୁସାରେ, ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ସବୁଦିନ ଭଳି ଶ୍ରୀମତୀ ପାଣ୍ଡେ ତାଙ୍କ ଛୋଟ ନାତିକୁ ଦାଣ୍ଡରେ ଖେଳାଉଥିଲେ। ଏହି ସମୟରେ ତମାଣ୍ଡୋ ଗାଁରୁ ବଜାର ଦିଗରେ ଯାଉଥିବା ଦୁଇଜଣ ବାଇକ୍ ଆରୋହୀ ଡାକ୍ତର ପାଣ୍ଡେଙ୍କ ଘର ସମ୍ମୁଖ ରାସ୍ତା ଉପରେ ଅଟକି ରହିଥିଲେ। ଜଣେ ଯୁବକ ବାଇକ୍ ଷ୍ଟାର୍ଟ କରି ଅପେକ୍ଷା କରିଥିଲା ଓ ପଛରେ ବସିଥିବା ଯୁବକ ଜଣଙ୍କ ଶ୍ରୀମତୀ ପାଣ୍ଡେଙ୍କ ପାଖକୁ ଚାଲି ଚାଲି ଯାଇଥିଲା। ସେ ଭାବିଥିଲେ ଯେ ଯୁବକଜଣଙ୍କ ବୋଧହୁଏ, କାହା ଠିକଣା ପଚାରିବାକୁ ତାଙ୍କ ପାଖକୁ ଆସୁଛି। ମାତ୍ର ହଠାତ୍ ଦୁର୍ବୃତ୍ତଜଣଙ୍କ ତାଙ୍କ ବେକରୁ ଚେନ୍ ଟାଣି ନେଇ ପୁଣି ବାଇକ୍ ପାଖକୁ ଧାଇଁଥିଲା ଓ ସେମାନେ ବଜାର ଦିଗରେ ପଳାଇଥିଲେ। ତେବେ ତାଙ୍କ ପାଟି ଶୁଣି କିଛି ଯୁବକ ସେମାନଙ୍କୁ ପିଛା କରିଥିଲେ। କଳିଙ୍ଗବିହାର ରେଗାଲିଆ ଛକରେ ସେମାନେ ସିବିଜେଡ୍ ବାଇକ୍‌ଟିକୁ ଛାଡ଼ି ସେଠାରେ ଲୋକ ଗହଳି ଭିତରେ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଯାଁଳା ଫାଣ୍ଡି ଅନ୍ତର୍ଗତ ଗଙ୍ଗପଡ଼ାରେ ଦୁଇଜଣ ଦୁର୍ବୃତ୍ତ ଜଣଙ୍କ ଘର ଅଗଣା ପର୍ଯ୍ୟନ୍ତ ଯାଇ ମହିଳାଙ୍କ ବେକରୁ ସୁନାଚେନ୍ ଛିଡ଼ାଇ ଫେରାର୍ ହୋଇଯାଇଥିଲେ। ତେଣୁ ରାଜଧାନୀ ଉପକଣ୍ଠ ଗାଁମାନଙ୍କୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ରାହାଜାନି ଚଳାଇଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର