ଏନ୍‌ଏଚ୍‌ରେ ୩ ମହିଳାଙ୍କ ଚେନ୍‌ ଝାମ୍ପିନେଲେ

ମାତିଲେ ଚେନ୍‌ ଲୁଟେରା

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥରେ ମାତିଲେ ସୁନାଚେନ୍‌ ଲୁଟେରା। ଗୋଟିଏ ଦିନରେ ତିନି ତିନି ଜଣ ମହିଳାଙ୍କ ବେକରୁ ଝାମ୍ପି ନେଇଛନ୍ତି ସୁନାଚେନ୍‌। ବାଣୀବିହାର ଛକରୁ ପାତ୍ରପଡ଼ା ଛକ ଭିତରେ ଘଟିଥିବା ଏଭଳି ୩ଟି ମାମଲା କମିସନରେଟ୍‌ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।

ଅପରାହ୍ଣ ପ୍ରାୟ ୧ଟାବେଳେ କଟକ ସାଲେପୁରର ରାଜେନ୍ଦ୍ର ମଲ୍ଲ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଓ ୫ ବର୍ଷର ଝିଅଙ୍କୁ ନେଇ ବାଇକ୍‌ ଯୋଗେ ପାତ୍ରପଡ଼ାସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ସେମାନେ ପାତ୍ରପଡ଼ା ଛକରେ ପହଞ୍ଚିଥିବାବେଳେ ହଠାତ୍‌ ଏକ ଅପାଚି ବାଇକ୍‌ ପଛରେ ବସିଥିବା ଜଣେ ଦୁର୍ବୃତ୍ତ ଜ୍ୟୋତ୍ସ୍ନାଙ୍କ ବେକରୁ ସୁନାଚେନ୍‌ଟି ଝାମ୍ପି ନେଇଥିଲା। ଫଳରେ ଇତସ୍ତତଃ ହୋଇ ସେ ଭାରସାମ୍ୟ ହରାଇଥିଲେ ଓ କୁନି ଝିଅଟି ସହ ବାଇକ୍‌ରୁ ଖସି ପଡ଼ିଥିଲେ। ରାଜେନ୍ଦ୍ର ମଧ୍ୟ ଭାରସାମ୍ୟ ହରାଇ ବାଇକ୍‌ ସହ ତଳେ ପଡ଼ି ଯାଇଥିଲେ। ଫଳରେ ଜ୍ୟୋତ୍ସ୍ନାଙ୍କ ମୁଣ୍ଡ ଫାଟି ଯାଇଥିଲା ଓ ଛୋଟ ଝିଅଟି ଖଣ୍ଡିଆଖାବରା ହୋଇଯାଇଥିଲା। ଚେନ୍‌ ଲୁଟିବା ପରେ ଦୁର୍ବୃତ୍ତଦ୍ୱୟ ଦ୍ରୁତବେଗରେ ଖୋର୍ଧା ଦିଗରେ ପଳାଇଥିଲେ। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।

ସେହିଭଳି ରାତି ପ୍ରାୟ ୯ଟା ସମୟରେ ପାତ୍ରପଡ଼ାସ୍ଥିତ ଏକ ପୋଷାକ ସୋ-ରୁମ୍‌ ନିକଟରୁ ଜଣେ ବୟସ୍କ ମହିଳାଙ୍କ ବେକରୁ ଲୁଟେରାମାନେ ସୁନାଚେନ୍‌ ଝାମ୍ପି ନେଇଛନ୍ତି। ସେ ତାଙ୍କ ସ୍ୱାମୀଙ୍କ ସହ ସୋ-ରୁମ୍‌ ନିକଟରେ ଅପେକ୍ଷା କରିଥିବାବେଳେ ଏକ ପଲସର୍‌ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ହଠାତ୍‌ ମହିଳାଙ୍କ ବେକରୁ ଚେନ୍‌ ଛିଡ଼ାଇ ନେଇଥିଲା। ପାଟି ଶୁଣି ସ୍ଥାନୀୟ ଲୋକେ ଦୁର୍ବୃତ୍ତଦ୍ୱୟଙ୍କୁ ପିଛା କରିଥିଲେ ବି ସେମାନଙ୍କୁ ଧରି ପାରିନଥିଲେ। ଲୁଟ୍‌ର ଶିକାର ହୋଇଥିବା ମହିଳା ଏ ନେଇ ପରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସେହିଭଳି ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାବେଳେ ସହିଦନଗର ଓଭରବ୍ରିଜ୍‌ ଉପରେ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟିଛନ୍ତି। ଜାଗମରା ଅଞ୍ଚଳର ରଶ୍ମିରଂଜନ ପାତ୍ର ତାଙ୍କ ସ୍ତ୍ରୀ ରୀତାଞ୍ଜଳି ସାହୁ ଓ ଛୋଟ ଝିଅକୁ ଧରି କଟକରୁ ବାଇକ୍‌ ଯୋଗେ ଫେରୁଥିଲେ। ସେମାନେ ସହିଦନଗର ଓଭରବ୍ରିଜ୍‌ ଉପରେ ପହଞ୍ଚିଥିବାବେଳେ ଏକ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ହଠାତ୍‌ ସେମାନଙ୍କୁ ଅଟକାଇଥିଲେ। ରଶ୍ମିରଂଜନ ବାଇକ୍‌ ଅଟକାଇବା ମାତ୍ରେ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଚୁପ୍‌ଚାପ ଠିଆ ହେବାକୁ କହିଥିଲା। ଅନ୍ୟଜଣଙ୍କ ରୀତାଙ୍କ ବେକରୁ ସୁନାଚେନ୍‌ଟି ଟାଣି ନେଇଥିଲା। ଗଲାବେଳେ ଚେନ୍‌ ଟାଣିଥିବା ଦୁର୍ବୃତ୍ତଜଣଙ୍କ ରୀତାଙ୍କୁ ଧକ୍କା ମାରି ଦେବାରୁ ସେ ଝିଅ ସହ ତଳେ ପଡ଼ି ଆହତ ହୋଇଛନ୍ତି। ଏ ନେଇ ସେମାନେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର