ଚନ୍ଦକାରେ ସିରିଜ୍‌ ଡକାୟତି: ୩ ଜଣଙ୍କ ଘରେ କଳାକନା ବୁଲାଇଲେ

ଲୁଟିଲେ ୫ ଲକ୍ଷ ଟଙ୍କା ଓ ୧୦୦ ଗ୍ରାମ୍‌ ଗହଣା, ଡକାୟତଙ୍କ ମାଡ଼ରେ ୪ ଆହତ

ମେଣ୍ଢାଶାଳ: ସୋମବାର ରାତିରେ ଚନ୍ଦକା ଥାନା ଛତାବର ଅଞ୍ଚଳରେ ଏକ ବଡ଼ ଧରଣର ସିରିଜ୍‌ ଡକାୟତି ଘଟିଛି। ୭/୮ ଜଣ ଡକାୟତ ଗୋଟିଏ ରାତିରେ ଛତାବର ଓ ପଳାସପୁର ଗାଁରେ ୩ ଜଣଙ୍କ ଘରେ ପଶି ଲୁଟ୍‌ପାଟ୍‌ କରିଛନ୍ତି। ଗାଁ ମୁଣ୍ଡରେ ଥିବା ଏକୁଟିଆ ଘରକୁ ଟାର୍ଗେଟ୍‌ କରି ବଡ଼ ଯୋଜନାବଦ୍ଧଭାବେ ଡକାୟତମାନେ ଏହି କାଣ୍ଡ ଭିଆଇଛନ୍ତି। ଲୁଟ୍‌ବେଳେ ପ୍ରତିରୋଧ କରିବାକୁ ଯାଇ ପଳାସପୁର ଗାଁ ଆଦିବାସୀ ସାହିର ଦେବରାଜ ମାଝୀ ନାମକ ଜଣେ ଅବସରପ୍ରାପ୍ତ ନୌସେନା କର୍ମଚାରୀଙ୍କ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଠେଙ୍ଗା ଓ ଶାବଳରେ ମାଡ଼ି ମାରି ଡକାୟତମାନେ ସେମାନଙ୍କ ଗୋଡ଼ ହାତ ଭାଙ୍ଗିବା ସହ ମୁଣ୍ଡ ଫଟାଇଛନ୍ତି। ମାର୍ଚ ୭ ତାରିଖରେ ପୁଅ ଝିଅ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ନୌସେନା କର୍ମଚାରୀଙ୍କ ଘରୁ ଡକାୟତମାନେ ନଗଦ ୫ ଲକ୍ଷ ଟଙ୍କା ଓ ପ୍ରାୟ ୭୦ ଗ୍ରାମ୍‌ ଓଜନର ସୁନା ଗହଣା ଲୁଟି ନେଇଛନ୍ତି। ଛତାବର ଗାଁର ଲକ୍ଷ୍ମଣ ମହାରାଣାଙ୍କ ଘରୁ ପ୍ରାୟ ୫ ଭରି ଓଜନର ଗହଣା ଲୁଟ୍‌ ହୋଇଛି। ସେହିଭଳି କିଟୁ ବେହେରାଙ୍କ ଘରୁ ମଧ୍ୟ ୩ଟି ମୁଦି ଚୋରି ହୋଇଛି। ତାଙ୍କ ଘରେ କେହି ନଥିଲେ ଓ ଡକାୟତମାନେ ତାଙ୍କ ଆଲ୍‌ମିରା ଭାଙ୍ଗି ମୁଦି ନେଇଥିବା ଜଣାପଡ଼ିଛି। ଖବର ପାଇ ଚନ୍ଦକା ଥାନା, ମେଣ୍ଢାଶାଳ ଫାଣ୍ଡି ପୁଲିସ ସହ ଅତିରିକ୍ତ ଡିସିପି ସୀତାକାନ୍ତ ଶତପଥୀ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ନେଇ ଛାନ୍‌ଭିନ୍‌ ଜାରି ରଖିଥିଲେ ବି ଡକାୟତମାନଙ୍କ ପତ୍ତା ମିଳିନାହିଁ। ସ୍ଥାନୀୟ ଡକାୟତ ଦଳ ଏଭଳି କାଣ୍ଡ କରିଥିବା ସନ୍ଦେହ କରି ପୁଲିସ ଅନୁସନ୍ଧାନ ଜାରି ରଖିଛି ଓ ଖୁବ୍‌ ଶୀଘ୍ର ଏହି ଡକାୟତ ଦଳକୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏଭଳି ସିରିଜ୍‌ ଡକାୟତି ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।

ଛାତରୁ ଠେଲିଲେ, ଠେଙ୍ଗାରେ ପିଟିଲେ

ଏହା ପରେ ଡକାୟତମାନେ ପହଞ୍ଚିଥିଲେ ପଳାସପୁର ଗାଁରେ। ନୌସେନାରୁ ଅବସର ନେଇ ଗାଁ ମୁଣ୍ଡରେ ନୂଆ ଘର କରି ରହୁଛନ୍ତି ଦେବରାଜ। ଛତାବରର ଲକ୍ଷ୍ମଣଙ୍କ ଘର ପରି ଦେବରାଜଙ୍କ ଘର ମଧ୍ୟ ଗାଁ ମୁଣ୍ଡରେ ଗୋଟିକିଆ। ପ୍ରଥମେ ଡକାୟତମାନେ ତାଙ୍କ ଘରର ବାହାର ଲାଇଟ୍‌ ସବୁ ଭାଙ୍ଗି ପକାଇଥିଲେ। ଜଣେ ଡକାୟତ କବାଟକୁ ଧକ୍କା ମାରିଥିଲା ଓ ଗୋଟିଏ ଧକ୍କାରେ କବାଟର ଭିତର ଖିଡ଼ିକି ଭାଙ୍ଗି ଯାଇଥିଲା। କିନ୍ତୁ ଏତିକିବେଳେ ତାଙ୍କ ପୁଅ ଦିଲ୍ଲୀପ ଉଠିପଡ଼ିଥିଲା। ତେଣୁ ଅନ୍ଧାର ଭିତରେ ଡକାୟତମାନେ ଛପି ଯାଇଥିଲେ। ପାଟି ଶୁଣି ଦେବରାଜ , ତାଙ୍କ ସ୍ତ୍ରୀ ଜେମାମଣି ଓ ଝିଅ ରଶ୍ମିତା ଉଠି ଆସିଥିଲେ। ସମସ୍ତେ ମିଶି ବାହାରକୁ ଯାଇଥିଲେ। ପରେ କାହାକୁ ନ ପାଇ ସେମାନେ ପୁଣି ଘର ଭିତରକୁ ଆସିଥିଲେ। ଦେବରାଜ ପାଇଖାନାକୁ ଯାଇଥିଲେ। ଠିକ୍‌ ଏତିକିବେଳେ ମୁହଁରେ ଗାମୁଛା ବାନ୍ଧିଥିବା ୨ ଜଣ ହୃଷ୍ଟପୃଷ୍ଟ ଯୁବକ ଘର ଭିତରକୁ ପଶି ଆସିଥିଲେ। ଦିଲ୍ଲୀପ ସେମାନଙ୍କୁ ଅଟକାଇବାକୁ ଯିବାବେଳେ ଧସ୍ତାଧସ୍ତି ହୋଇଥିଲା ଓ ଠେଲାପେଲା ହୋଇ ସମସ୍ତେ ପୁଣି ବାହାରକୁ ଚାଲି ଯାଇଥିଲେ। ଦିଲ୍ଲୀପଙ୍କୁ ରକ୍ଷା କରିବାକୁ ଜେମାମଣି ଓ ରଶ୍ମିତା ମଧ୍ୟ ବାହାରକୁ ଚାଲି ଯାଇଥିଲେ। ଏତିକିବେଳେ ବିଲ ଭିତରେ ଛପି ଥିବା ଆଉ ୪/୫ ଜଣ ଚାଲି ଆସିଥିଲେ ଓ ଦିଲ୍ଲୀପଙ୍କ ମୁଣ୍ଡକୁ ପିଟି ଚାଲିଥିଲେ। ଠେଙ୍ଗା ଓ ଶାବଳ ମାଡ଼ରେ ଦିଲ୍ଲୀପ, ଜେମାମଣି ଓ ରଶ୍ମିତା ଆହତ ହୋଇଥିଲେ। ପାଟି ଶୁଣି ଦେବରାଜ ପାଇଖାନାରୁ ବାହାରି ଆସିବା ଦେଖି ୩ ଜଣ ଡକାୟତ ତାଙ୍କୁ ମାରିବାକୁ ଗୋଡ଼ାଇଥିଲେ। ସେ ଭୟରେ ଛାତ ଉପରକୁ ଯାଇ ଗାଁ ଲୋକଙ୍କୁ ଡାକ ମାରୁଥିବାବେଳେ ପଛରୁ ଡକାୟତମାନେ ତାଙ୍କୁ ଠେଲି ଦେଇଥିଲେ। ଫଳରେ ସେ ତଳେ ପଡ଼ି ଯାଇଥିଲେ ଓ ତାଙ୍କ ଦୁଇ ଗୋଡ଼ ଜଖମ ହୋଇ ଯାଇଥିଲା। ଏଣେ ଅନ୍ୟ ଡକାୟତମାନେ ଶାବଳରେ ଏକ ଆଲ୍‌ମିରା ଭାଙ୍ଗି ଭିତରୁ ୫ ଲକ୍ଷ ଟଙ୍କା, ଦୁଇଟି ହାର, ଗୋଟିଏ ଚେନ୍‌, ୨ପଟ ଚୁଡ୍‌, କାନଫୁଲ ୩ ହଳ, ୨ଟି ବଡ଼ ମୁଦି ଆଦି ଲୁଟି ନେଇଥିଲେ। ଅନ୍ୟ ଏକ ରୁମ୍‌ରେ ପଶି ସେମାନେ କଂସାବାସନ ପେଟିକୁ ଟେକିଥିଲେ ବି ପରେ ଛାଡ଼ି ପଳାଇଥିଲେ। ପାଟି ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଡକାୟତମାନେ ପାର୍‌ ହୋଇ ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ଘରେ ମଦ ପିଇଲେ, ଖାଇଲେ, ଲୁଟିଲେ
ପ୍ରଥମେ ଡକାୟତମାନେ ଛତାବର ଗାଁର ଲକ୍ଷ୍ମଣ ମହାରଣାଙ୍କ ଘରେ ପଶିଥିଲେ। ଗାଁ ମୁଣ୍ଡରେ ଗହୀରକୁ ଲାଗି ରହିଥିବା ଏହି ଗୋଟିକିଆ ଘରଟିକୁ ସେମାନେ ପୂର୍ବରୁ ଟାର୍ଗେଟ୍‌ କରିଥିବା ଅନୁମାନ କରାଯାଉଛି। ଛାତର ସିଡ଼ି ଘର ଦେଇ ସେମାନେ ୫ ଜଣ ଭିତରକୁ ପଶିବା ପରେ ଲକ୍ଷ୍ମଣଙ୍କ ଶୋଇବା ଘରକୁ ବହାରୁ କିଳି ଦେଇଥିଲେ। ଏତିକିବେଳେ ତାଙ୍କ ପୁଅ ବୁଲୁ ଉଠିପଡ଼ିଥିଲା। ଦୁର୍ବୃତ୍ତମାନେ ତାଙ୍କୁ ଧକ୍କା ମାରି ନିକଟ ଏକ ରୁମ୍‌ରେ ପୁରାଇ ବାହାରୁ କିଳି ପକାଇଥିଲେ। ନବବଧୂ ମାଧୁରୀ ଏକୁଟିଆ ହୋଇଯାଇଥିଲେ। ଡକାୟତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ତାଙ୍କ ଦେହରୁ ମଙ୍ଗଳସୂତ୍ର, କାନଫୁଲ, ସୁନା କାଚ କାଢ଼ି ନେଇଥିଲେ। ଆଲ୍‌ମିରା ଚାବି ମାଗିବାରୁ ସେ ଭୟରେ ଚାବି ବଢ଼ାଇ ଦେଇଥିଲେ। ଆଲ୍‌ମିରା ଖୋଲି ସେମାନେ ଗୋଟିଏ ସୁନା ହାର, ସୁନା ବାହୁଟି ୬ ପଟ ଓ ମୁଦି ଆଦି ଅଳଙ୍କାର ନେଇଥିଲେ। ରୋଷେଇ ଘର ଖୋଲା ଥିବା ଦେଖି ସେମାନେ ମାଧୁରୀଙ୍କୁ ରୁଟି ତରକାରୀ ମାଗିଥିଲେ । ରୁଟି ତରକାରୀ ଖାଇବା ସହ ସେମାନେ ସେହିଠାରେ ବସି ମଦ ପଇଥିଲେ ଓ ଖାଇ ସାରି ଗହୀର ଭିତର ଦେଇ ଅନ୍ତର୍ଧାନ ହୋଇ ଯାଇଥିଲେ। ଲୁଟ୍‌ ହୋଇଥିବା ଗହଣାର ଓଜନ ପ୍ରାୟ ୫ ଭରି ହେବ ବୋଲି ଲକ୍ଷ୍ମଣ କହିଛନ୍ତି।

ସମ୍ବନ୍ଧିତ ଖବର