ଫେସ୍ବୁକ୍ରେ ପ୍ରବାସୀ ଭାରତୀୟ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କଲେ ବିମାନରେ ଝାଡ଼ୁଦାର କାମ କରୁଥିବା ଯୁବକ, ନଗ୍ନ ଫଟୋ ଏବଂ ଭିଡ଼ିଓ ଦେଖାଇ ମାଗିଲେ ୫କୋଟି ଟଙ୍କା
ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଗତ ୬ମାସ ହେବ ରହି ଆସୁଥିବା ଜନୈକା ପ୍ରବାସୀ ଭାରତୀୟ ମହିଳାଙ୍କୁ ବିମାନରେ ଝାଡ଼ୁଦାର କାମ କରୁଥିବା ଜନୈକ ବ୍ୟକ୍ତି ବ୍ଲାକ୍ମେଲ କରୁଥିବାର ଅଭିଯୋଗ ହୋଇଛି । ସଂପୃକ୍ତା ମହିଳାଙ୍କ ନଗ୍ନ ଫଟୋ ଏବଂ ଭିଡ଼ିଓ ପ୍ରସ୍ତୁତ କରି ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ୫କୋଟି ଟଙ୍କା ମାଗିଥିଲେ ବୋଲି ପୁଲିସରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଅଭିଯୋଗ ପାଇବା ପରେ ପୁଲିସ୍ ଭାରତୀୟ ପିଙ୍ଗଳ କୋଡ଼୍ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତ ୬ମାସ ହେବ ପ୍ରବାସୀ ଭାରତୀୟ ମହିଳା ଜଣକ ଚଣ୍ଡିଗଡ଼ରେ ରହି ନିଜର ବ୍ୟବସାୟ ଚଳାଇ ଆସୁଥିବା ବେଳେ ଫେସ୍ବୁକ୍ ମାଧ୍ୟମରେ ଅଭିଯୁକ୍ତ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । କିଛି ଦିନ କଥା ହେବା ପରେ ଦୁହେଁ ଅତି ନିକଟତର ହେବାରୁ ଅଭିଯୁକ୍ତ ବିଭିନ୍ନ ବାହାନାରେ ପୀଡ଼ିତାଙ୍କଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ । କିଛି ମାସ ଟଙ୍କା ଦେବା ପରେ ଶେଷରେ ଟଙ୍କା ଦେବାକୁ ମନା କରି ଦେଇଥିଲେ ପୀଡ଼ିତା । ଏଥିରେ ରାଗି ଯାଇ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ନିଜ ଘରକୁ ଡ଼ାକି ମାଡ଼ ମାରିବା ସହ ତାଙ୍କର ନଗ୍ନ ଭିଡ଼ିଓ ଏବଂ ଫଟୋ ଉଠାଇ ତାଙ୍କୁ ବ୍ଲାକ୍ମେଲ କରିବା ଆରମ୍ଭ କରିଥିଲେ । ୫କୋଟି ଟଙ୍କା ନ ଦେଲେ ଫଟୋ ଏବଂ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇ ବାରମ୍ବାର ଫୋନ କରି ଚାଲି ଥିଲେ ଅଭିଯୁକ୍ତ । ଶେଷରେ ଅନ୍ୟ କିଛି ବାଟ ନ ପାଇ ପୁଲିସରେ ଅଭିଯୋଗ କରିଥିଲେ ମହିଳା । ଅଭିଯୁକ୍ତ ଜଣଙ୍କ ବିମାନରେ ଝାଡ଼ୁଦାର ଭାବରେ କାମ କରୁଥିବା ବେଳେ ଏବେ ସେ କୌଣସି କାମ କରୁ ନଥିବା ଜଣା ପଡ଼ିଛି ।