ଉତ୍ତରପ୍ରଦେଶ ରାଜପଥରେ କାର୍‌ ଭିତରୁ ଦିଲ୍ଲୀ ବିଲ୍‌ଡର୍‌ଙ୍କ ଦଗ୍‌ଧ୍‌ ଶବ ଉଦ୍ଧାର

ଆଗ୍ରା: ଶନିବାର ସକାଳେ ଆଲିଗଡ଼-ଏଟା ରାଜପଥଠୁ ୭୦୦ ମିଟର ଦୂର ଲିଙ୍କ୍‌ ରୋଡ୍‌ରେ ଗୋଟିଏ ପୋଡ଼ିଯାଇଥିବା ସ୍କୋଡା କାର୍‌ ମଧ୍ୟରୁ ଦିଲ୍ଲୀ ଅନ୍ତର୍ଗତ ଅଶୋକ ନଗରରର ଜଣେ ବିଲ୍‌ଡର୍‌ଙ୍କର ପ୍ରାୟ ସମ୍ପୂର୍ଣ୍ଣ ଦଗ୍‌ଧ୍‌ ଶବ ଉଦ୍ଧାର କରାଯାଇଛି। କାର୍‌ରେ ନଏଡ଼ାର ରେଜିଷ୍ଟ୍ରେସନ୍‌ ନମ୍ବର ଥିବାବେଳେ ସେ ବିଲ୍‌ଡର୍‌ ଜଣକ ମହମ୍ମଦ ରିଜ୍‌ଓ୍ଵାନ୍‌ ବୋଲି ପରେ ଜଣାପଡ଼ି ଥିଲା।

ଦୈବାତ୍‌ ନିଅାଁ ଲାଗିଯାଇଥିବାରୁ ସେ କାର୍‌ ମଧ୍ୟରେ ପୋଡ଼ି ଯାଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିକଟସ୍ଥ ବିଲରୁ ପେଟ୍ରୋଲ୍‌ ଗନ୍ଧ ବାହାରୁ ଥିବା ଖାଲି ବୋତଲ ମିଳିବା ପରେ ପୁଲିସ ଏକ ନରହତ୍ୟା ମାମଲା ଦାଏର୍‌ କରିଛି।
ଆଲିଗଡ଼ ପୁଲିସ କହିବାନୁସାରେ, ସକାଳ ସାଢ଼େ ଛଅଟାବେଳେ ଆମେ ସୂଚନା ପାଇଲେ ମଧ୍ୟ ଭୋର୍‌ ୪ଟାବେଳେ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣାପଡୁଛି।

ଆଲିଗଡ଼ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାଜେଶ ପାଣ୍ଡେ କହନ୍ତି: ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାର୍‌ରେ ନିଅାଁ ଲଗାଯିବା ପୂର୍ବରୁ ସେଥିରେ ଅନ୍ୟୂନ୍ୟ ୩ ଜଣ ଥିଲେ। ଏହାଛଡ଼ା, କାର୍‌ର ପଛ ସିଟ୍‌ରୁ ଏକ ପୋଡ଼ା କଡ୍‌ ଏବଂ ସିଟ୍‌ ତଳୁ କିଛି ମଦ ବୋତଲ ମିଳିଛି। ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ଏବଂ ପେଟ୍ରୋଲ୍‌ ବୋତଲରୁ ଆଙ୍ଗୁଠି ଛାପ ନିଆଯାଇ ଫୋରେନ୍‌ସିକ୍‌ ବିଶ୍ଳେଷଣ ପାଇଁ ପଠାଯାଇଛି।

ତାଙ୍କର ପତ୍ନୀ ନଜ୍‌ମୀନ୍‌ ଖାଁ ମଧ୍ୟ ଜାମିଆ ନଗର ଥାନାରେ ଶନିବାର ଦିନ ନିରୁଦ୍ଦେଶ ରିପୋର୍ଟ ଦାଏର୍‌ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାତି ସାଢ଼େ ଦଶଟା ଯାଏଁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇଥିଲା। ତାଙ୍କ ଦେହ ଭଲ ନାହିଁ ଏବଂ ବାନ୍ତି କରିଛନ୍ତି ବୋଲି କହିଥିଲେ। ସେ ତାଙ୍କୁ ଘରକୁ ଫେରିଆସିବାକୁ କହିଥିଲେ। କିନ୍ତୁ, ଛାଏଁ ଠିକ୍‌ ହେଇଯିବି କହି ସେ ଆସି ନ ଥିଲେ।

ପତ୍ନୀ ସେଉଠୁ ଶୋଇ ପଡ଼ିଲେ ଏବଂ ରାତି ୪ଟାରେ ଉଠି ସ୍ୱାମୀଙ୍କୁ ଫୋନ୍‌ କଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।

ସେ କିଛି ଲୋକଙ୍କଠାରୁ ବକେୟା ଅର୍ଥ ଆଦାୟ କରିବାକୁ ଆଲିଗଡ଼ ଯାଇଥିଲେ।

ସମ୍ବନ୍ଧିତ ଖବର