ନୂଆଦିଲ୍ଲୀ:ମାଟ୍ରିମୋନିଆଲ୍ ସାଇଟ୍ରେ ହାଇକ୍ଲାସ୍ ପ୍ରୋଫାଇଲ୍ ପ୍ରସ୍ତୁତ କରି ଏଯାଏଁ ୨୧ ଜଣ ଯୁବତୀଙ୍କୁ ଠକିଥିବା ଜଣେ ଲୋକଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ସେଲ୍ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏହି ଠକର ନାଆଁ ଅଭିଷେକ ବଶିଷ୍ଠ ବୋଲି ଜଣାପଡ଼ିଛି । ଅଭିଷେକର ବୟସ ୩୨ ବର୍ଷ। ଦିଲ୍ଲୀ ପୁଲିସ କିଛି ଦିନ ତଳେ ତାକୁ ଧରାଇଦେବା ଲାଗି ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ଅଭିଯୁକ୍ତଙ୍କ ବିରୋଧରେ ଜଣେ ଯୁବତୀ ତାକୁ ବିବାହ କରି ଜୁଏଲାରି ଓ ଟଙ୍କା ନେଇ ଫେରାର୍ ହୋଇଥିବାର ଅଭିଯୋଗ ଆଣିଥିଲେ। ନ୍ୟାୟାଳୟ ଅଭିଯୁକ୍ତ ଅଭିଷେକ ବିରୋଧରେ ଜାମିନ ବିହୀନ ଓ୍ଵାରେଣ୍ଟ ଜାରି କରିଥିଲେ। ଅଭିଷେକ ନିଜର ଏକ ନିଉଜ୍ ଚ୍ୟାନେଲ୍ପାଇଁ ରିପୋର୍ଟରମାନଙ୍କୁ ନିଯୁକ୍ତି ଓ ନିଜ ଚାନେଲର ଫ୍ରାଞ୍ଚାଇଜ୍ ଦେବା ନାଆଁରେ ଠକାମି ମଧ୍ୟ କରିଥିବାର ଅଭିଯୋଗ ହୋଇଛି। ଅଭିଷେକକୁ ଡିସେମ୍ବର ୨୨ ତାରିଖରେ ହରିଦ୍ୱାରର ପ୍ରେମ ଆଶ୍ରମ ଛକ ନିକଟରେ ଗିରଫ କରାଯାଇଛି ବୋଲି ଡିସିପି ପ୍ରମୋଦ କୁଶବାହା ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ୨୦୧୬ରେ ବି ଅଭିଷେକ ଅନ୍ୟ ଏକ ଠକେଇ ମାମଲାରେ ମଧ୍ୟ ଚଣ୍ଡୀଗଡ ପୁଲିସଦ୍ୱାରା ଗିରଫ ହୋଇଥିଲା। ସେତେବେଳେ ସେ ଡେରାଡୁନ୍ର ଇଣ୍ଡିଆନ୍ ମିଡିଆ ଗ୍ରୁପ୍ର କର୍ମଚାରୀ ବୋଲି ପରିଚୟ ଦେଇ ଜମିଜମା କିଣାବିକା ବ୍ୟବସାୟରେ ଠକେଇ କରିଥିଲା।