ଚେନ୍ନାଇ: ଘରୁ ୭୬ ହଜାର ଟଙ୍କା ମୂଲ୍ୟର ଅନ୍ୟୂନ ୧୦ ହଳ ଜୋତା ଚୋରି ହୋଇଛି ବୋଲି ଶନିବାର ଦିନ ସେକ୍ରେଟେରିଏଟ୍ କଲୋନି ଥାନାରେ ଜଣେ ବ୍ୟବସାୟୀ ଏତଲା ଦେବାରୁ ପୁଲିସ ଆଚମ୍ବିତ ହୋଇ ଯାଇଛି।
କିଲପୌକ୍ ଅଞ୍ଚଳ ଦିଓ୍ଵାନ୍ ବାହାଦୁର ଶାଙ୍ଗମୁଗମ ଷ୍ଟ୍ରିଟ୍ର ବାସିନ୍ଦା ବ୍ୟବସାୟୀ ଅବଦ୍ଦୁଲ ହାଫିଜ୍ ପୁଲିସକୁ କହିଛନ୍ତି କି, ସେ ଜୋତାଗୁଡ଼ିକ ବ୍ରାଣ୍ଡେଡ୍ ଏବଂ ଦାମିକା।
ଶନିବାର ସକାଳେ, ସେ ଘରେ ଥିଲେ ମଧ୍ୟ ଦେଖିଲେ ତାଙ୍କ ଚଟି ନାହିଁ। ଘରର ମୁଖ୍ୟ ଦ୍ୱାର ବନ୍ଦ ଥିଲା। ତାଙ୍କ ଦି’ତାଲିଆ ଘରର ଦ୍ୱାରଦେଶରେ ଜୋତା ଓ ସାଣ୍ଡେଲ୍ ମିଶାଇ ଘରେ ସେ ୧୦ ହଳ ରଖିଥିଲେ। ପୁଲିସ କହିଛି ଯେ ସକାଳ ୯: ୩୦ ରୁ ୧୦: ୩୦ ମଧ୍ୟରେ ଜୋତାଗୁଡ଼ିକ ହଜିଯାଇଥିଲା। ହଫିଜ୍ ମଧ୍ୟ ଘରେ କୌଣସି ସନ୍ଦିଗ୍ଧଙ୍କର ଯାତାୟାତ ଦେଖି ନ ଥିଲେ। ଘରୁ ବାହାରିବା ବେଳେ ସେ ଦେଖିଲେ ଜୋତାଚପଲ ସବୁ ନାହିଁ।
ଅଭିଯୋଗକାରୀ ହଫିଜ୍ ପୁଲିସକୁ କହିଛନ୍ତି ଯେ ତାଙ୍କ ପଡ଼ୋଶୀ ଘରେ ଭଡ଼ା ନେଇ ରହୁଥିବା ଦଳେ ଅବିବାହିତ ଟୋକାଙ୍କ ଉପରେ ଏବଂ ବେଲାଚେରୀବାସୀ ଚାକର ଉପରେ ତାଙ୍କର ସନ୍ଦେହ ହେଉଛି।
ରବିବାର ହୋଇଥିବାରୁ ଅବିବାହିତ ଭଡ଼ାଟିଆମାନେ ଗାଁକୁ ଚାଲିଯାଇଥିବାରୁ ସେମାନେ ଫେରିଲେ ସୋମବାର ଦିନ ପଚରାଉଚୁରା କରାଯିବ ବୋଲି ପୁଲିସ କହିଛି।
ପୁଲିସ ସିସିଟିଭି କ୍ୟାମେରା ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି।