ଚନ୍ଦ୍ରଶେଖରପୁର : ଏକ ଚେକ ବାଉନ୍‌ସ ମାମଲାରେ ଜେଏମଏଫ୍‌ସି ଭୁବନେଶ୍ୱର ବିଚାରପତି କଣ୍ଟାବାଡ଼ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଭାବଗ୍ରାହୀ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କ୍ଷତିପୂରଣ ବାବଦକୁ ଅଭିଯୋଗକାରୀ କଣ୍ଟାବାଡ଼ ଗ୍ରାମର ମନୋରଂଜନ ଜେନାଙ୍କୁ ପନ୍ଦର ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ଅଭିଯୁକ୍ତ ସରପଞ୍ଚଙ୍କୁ ଛ’ ମାସ ଜେଲ୍‌ ଦଣ୍ଡ ଦେବାକୁ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି। କେସ୍‌ ନଂ-ସିସି ୦୫/୨୦୧୩ର ଶୁଣାଣି କରି ଜେଏମଏଫ୍‌ସି ଭୁବନେଶ୍ୱର କ୍ଷତିପୂରଣ ଅନାଦେୟ ଅଧିକ ୪୫ ଦିନ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଅନୁଯାୟୀ ଅଭିଯୋଗକାରୀ ମନୋରଂଜନ ଜେନାଙ୍କୁଠାରୁ ସରପଞ୍ଚ ଭାବଗ୍ରାହୀ ସାହୁ ବିଭିନ୍ନ ସମୟରେ ଦଶ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ପରିଶୋଧ ପାଇଁ ଶ୍ରୀ ସାହୁ ଗୋଠପାଟଣା ଆନ୍ଧ୍ର ବ୍ୟାଙ୍କ ଶାଖାର ଏକ ଦଶଲକ୍ଷ ଟଙ୍କାର ଚେକ ଦେଇଥିଲେ। ମାତ୍ର ଟଙ୍କା ନଥିବାର ଚେକଟି ବାଉନ୍‌ସ ହୋଇଥିଲା। ସମସ୍ତ ଚେଷ୍ଟା କରି କୌଣସି ସୁଫଳ ନପାଇବାରୁ ଅଭିଯୋଗକାରୀ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ। ଦୀର୍ଘ ପାଞ୍ଚ ବର୍ଷ ପରେ ମାନ୍ୟବର କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକ ମୋକଦ୍ଦମା ପରିଚାଳନା କରିଥିଲେ। ସୁଦୀପ୍ତା ପଟ୍ଟନାୟକ, କଳ୍ପନା ବେଉରିଆ ଏବଂ ସବିତା ରଶ୍ମି ପ୍ରଧାନ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ଏହି ମାମଲା ପରିଚାଳନାରେ ସହଯୋଗ କରିଥିଲେ।